ଖୋର୍ଦ୍ଧା: ଜଟଣୀ ଥାନା ଅଞ୍ଚଳରେ ଲଜ୍ଜ୍ୟା । ମହିଳାଙ୍କୁ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ । ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଗତ ସୋମବାର ନିଜ ଗ୍ରାମର ଯୁବକ ବଣ୍ଟି ଜେନା ତାଙ୍କୁ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଚାକିରି କରାଇଦେବା ବାହାନାର ସେଠାକୁ ନେଇଥିଲା । ସେଠାରେ ତାଙ୍କ ପୁଅକୁ ସିକ୍ୟୁରିଟି ନଛାଡିବାରୁ ମହିଳା ଜଣକ ଏକା ସେହି ଯୁବକ ସହିତ ଭିତରକୁ ଯାଇଥିଲେ । ତେବେ କାମ କଣ କରିବେ ଓ କେଉଠି କରିବେ ତାକୁ ବୁଝାଇବା ବାହାନାରେ ତାଙ୍କୁ ଏକ ଘରେ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।
ମହିଳା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଯୁବକ ଜଣକ ଏକଥା ନକହିବାକୁ ଧମକ ଦେଇଛି । କିନ୍ତୁ ପୀଡିତା ମହିଳା ପ୍ରଥମେ ଜଟଣୀ ଥାନାର ଯାଆଁଳା ଫାଣ୍ଡିରେ ଅଭିଯୋଗ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ ଘଟିଥିବା ସ୍ଥାନ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡିକୁ ଯିବାକୁ ପରାମର୍ଶ ଦେଇଥିଲେ ଫାଣ୍ଡି କର୍ମଚାରୀ । ପରେ ମେଣ୍ଢାଶାଳ ଫାଣ୍ଡିରେ ପୀଡିତା ଅଭିଯୋଗ କରିବା ସହିତ ଅଭିଯୁକ୍ତକୁ ଗିରଫ କରି ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ଏପରି ଘଟଣାକୁ ସ୍ଥାନୀୟ ବାସିନ୍ଦା ନିନ୍ଦା କରିବା ସହିତ ଏହି ଘଟଣାରେ ସିକ୍ୟୁରିଟି ସାମିଲ ଥିବାର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ