ଭୁବନେଶ୍ବର : ଓଡ଼ିଶାରେ ଦୃତ ଶିଳ୍ପାୟନ ଓ ବ୍ୟବସାୟିକ ପ୍ରଗତି ସହ ସହରାଞ୍ଚଳର ପରିସର ବଢୁଛି । ଏଥିରେ ଲୋକ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧିପାଉଛି । ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ଆବଶ୍ୟକତା ରହିଛି ତ୍ୱରିତ ସ୍ୱାସ୍ଥ୍ୟସେବା । 8ଟି ପ୍ରମୁଖ ସହରରେ 8ଟି ନୂଆ ପ୍ରାଥମିକ ସ୍ବାସ୍ଥକେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ଅବସ୍ଥାକୁ ବିଚାର କରି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତରଫରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟକ୍ରମ ଅନୁସାରେ ବିଧିବଦ୍ଧ କାର୍ଯ୍ୟାଳୟ ଆଦେଶ ବିଜ୍ଞାପିତ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବ୍ୟାସନଗର ଓ ଯାଜପୁର, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ମାଲକାନଗିରି ଜିଲ୍ଲାର ମାଲକାନଗିରି, ବାଲେଶ୍ୱରର ସୋର, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ଅନୁଗୋଳର ତାଳଚେର ଏବଂ କଟକର ଟୋଲା ସାହିରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଖୋଲାଯିବ । ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗର ସମସ୍ତ ନିର୍ଦେଶକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ, ଓଡ଼ିଶା ମେଡ଼ିକାଲ କର୍ପୋରେସନ ପରିଚାଳନା ନିର୍ଦେଶକଙ୍କ ସମେତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶକୁ ଭିତ୍ତି କରି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ବିଭାଗ କାର୍ଯ୍ୟ କରୁଛି । ବିଭାଗ ପକ୍ଷରୁ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ତୃଣମୂଳ ସ୍ତରରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ କାର୍ଯ୍ୟ ଜାରି ରହିଛି । ବିଗତ କିଛି ବର୍ଷ ଭିତରେ ରାଜ୍ୟରେ ୭ଟି ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କଳାହାଣ୍ଡି, ତାଳଚେର, ଯାଜପୁର, କନ୍ଧମାଳରେ ହସ୍ପିଟାଲ ନିର୍ମାଣ ଲାଗି ପଦକ୍ଷେପ ନିଆଯାଉଛି । ଅନୁଗୋଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ତେବେ ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଝାରସୁଗୁଡାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦରୋଗ ହସ୍ପିଟାଲ ପିପିପି ମୋଡରେ ଆରମ୍ଭ କରାଯିବ । ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ ନେଇ ପଦକ୍ଷେପ ନିଆଯାଉଛି । ୩ ହଜାର ଡାକ୍ତର ପଦବୀ ପାଇଁ OPSC ଅଧୀନରେ ଚୟନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଆଗାମୀ ଦିନରେ ଆଉ ୫ ହଜାର ପଦବୀ ପୂରଣ ଲାଗି ଯୋଜନା କରାଯାଇଛି । ସେହିପରି BSKY କୁ ସମ୍ପ୍ରସାରଣ କରାଯାଉଛି । ରାଜ୍ୟ ବାହାରେ ୫ ଶହ ହସ୍ପିଟାଲକୁ BSKY ରେ ସାମିଲ କରାଯାଇଛି । ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି ।
ଇଟିଭି ଭାରତ, ଭୁବନେଶ୍ବର