ଭୁବନେଶ୍ବର: ଏଣିକି ଆଡମିଶନ ବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା । ଉଚ୍ଚଶିକ୍ଷା ଓ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ବେଳେ ଛାତ୍ରଛାତ୍ରୀ ଏହି ଘୋଷଣାନାମା ଦାଖଲ କରିବେ । ଏନେଇ କେନ୍ଦ୍ରର ଚିଠି ପରେ ଶିକ୍ଷା ବିଭାଗକୁ ସାମାଜିକ ସୁରକ୍ଷା ସଚିବଙ୍କ ଚିଠି ମିଳିଛି ।
ସୂଚନା ଅନୁଯାୟୀ, ନିଶାମୁକ୍ତ ଭାରତ ଅଭିଯାନରେ ନିଶା ନିବାରଣ ପାଇଁ ଖୁବଶୀଘ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଶାମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ଏକ ସ୍ବତନ୍ତ୍ର ସେଲ୍ ଗଠନ କରିବା ସହ ଏଥିରେ ବିଭିନ୍ନ ଏନଜିଓକୁ ସାମିଲ କରିବେ । ଯେଉଁମାନେ ସାଧାରଣ ଭାବରେ ସମସ୍ତଙ୍କୁ ସଚେତନ କରିବେ । ଏଥିସହ ଶିକ୍ଷାନୁଷ୍ଠାନର ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ସିଗାରେଟ ବା ନିଶାଦ୍ରବ୍ୟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଏନେଇ ଜିଲ୍ଳା ସ୍ତରରେ ମଧ୍ୟ କମିଟି ଗଠନ କରାଯିବ । ୧୦ ଜିଲ୍ଲାରେ କମିଟି ଗଠନ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଉ 20 ଜିଲ୍ଲାରେ ଖୁବଶୀଘ୍ର କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ- ନିଶାମୁକ୍ତ ଭାରତ ଅଭିଯାନ ଜୋରଦାର: ଗଞ୍ଜେଇ ଜବତ 4 ଗିରଫ, ମହିଳାଙ୍କୁ ମୋହରା କରି ହେଉଥିଲା ଚାଲାଣ
ଏହା ମଧ୍ୟ ପଢନ୍ତୁ - ଯୁବପିଢିଙ୍କୁ ନିଶାଠୁ ଦୂରେଇବାକୁ ପ୍ରୟାସ, ଅନଲାଇନରେ ଡ୍ରଗ୍ସ ଡେଲିଭେରି ଚିନ୍ତାଜନକ କହିଲେ ସିପି
ପ୍ରତ୍ୟେକ ଦିନ ପୋଲିସ ହାତରେ ଲକ୍ଷ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଧରା ପଡୁଛି । କଲେଜ ପିଲାମାନେ ଏହି କୁଅଭ୍ୟାସରେ ପଡୁଛନ୍ତି । ତେଣୁ କିଛି ମାସ ପୂର୍ବରୁ କମିଶନରେଟ ପୋଲିସ ମଧ୍ୟ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକୁ ନିଶାମୁକ୍ତ କରିବାକୁ ଆରମ୍ଭ କରିଥିଲା ମାଷ୍ଟର ପ୍ଲାନ । ତେବେ ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡିକରେ ଜୋରଦାର ହେବ ନିଶାମୁକ୍ତ ଅଭିଯାନର କାର୍ଯ୍ୟକ୍ରମ । କଲେଜ କ୍ୟାମ୍ପସ ଓ ବିଶ୍ବବିଦ୍ୟାଳୟ ପରିସର ଏବଂ ହଷ୍ଟେଲ ଗୁଡିକ ଫୋକସରେ ରହିବ । କଲେଜ କ୍ୟାମ୍ପସର ଜମୁଥିବା ଛାତ୍ରଛାତ୍ରୀଙ୍କ ଖଟି ଉପରେ ମଧ୍ୟ ରହିବ ପୋଲିସର କଡା ନଜର । ନିଶାମୁକ୍ତ ପାଇଁ ସିଧାସଳଖ ଭାବରେ କଲେଜ କ୍ୟାମ୍ପସରେ ପଶିବ ପୋଲିସ । ଅଣ୍ଡର କଭର ଅଫିସର ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବେ । ଛାତ୍ରଛାତ୍ରୀଙ୍କୁ ନିଶା ଠାରୁ ଦୂରେଇ ରଖିବାକୁ ସଚେତନତା କରାଯିବ ।
ଏହା ମଧ୍ୟ ପଢନ୍ତୁ- ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟ, କେନ୍ଦୁଝରରେ ତମାଖୁ ନିଷେଧ ଦିବସ ପାଳିତ
ଇଟିଭି ଭାରତ, ଭୁବନେଶ୍ବର