ଖୋର୍ଦ୍ଧା: କୋରୋନା ମହାମାରୀ ଲକଡାଉନ ଯୋଗୁଁ, ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ । ଜୀବିକା ହରାଇ ଜୀବନ ବଞ୍ଚାଇବା ପାଇଁ କରୁଛନ୍ତି ସଂଘର୍ଷ । ତେବେ ଏପରି ସମୟରେ ବେସରକାରୀ ଋଣ ପ୍ରଦାନକାରୀ ସଂସ୍ଥାଙ୍କ କିସ୍ତି ଆଦାୟ, ସମସ୍ୟାକୁ ଆହୁରି ବଢାଇଦେଇଛି ।
ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ନାଲି ଆଖି ଦେଖାଇ ଋଣ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ନଈରୀ, ବାଲୁଗାଁ ଓ ବାଣପୁର ଆଦି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
କୋରୋନା ମହାମାରୀ ପୂର୍ବରୁ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ଠିକ ସମୟରେ, ଋଣ ସହ ସୁଧ କିସ୍ତି ପରିଶୋଧ କରୁଥିଲେ। ମାତ୍ର ଏବେ କୋରୋନା ପାଇଁ ସବୁଆଡେ ଲକ ଡାଉନ, ସଟ୍ ଡାଉନ ଯୋଗୁଁ ରୋଜଗାର ଠପ୍ ହୋଇଯାଇଛି । ଫଳରେ ସେମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହେଉଛନ୍ତି । କିନ୍ତୁ ଏମାନଙ୍କ କଥାକୁ ବେସରକାରୀ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀଙ୍କ ନିଘା ନାହିଁ । ଋଣ କିସ୍ତି ଆଦାୟ କୋହଳ କରିବାକୁ ସରକାରଙ୍କ ନିର୍ଦ୍ଦେଶନାମା ରହିଥିବାବେଳେ, ଏହା କେବଳ ଘୋଷଣାରେ ରହିଯାଇଛି । ବିଭିନ୍ନ ଧମକ ସହ କିସ୍ତି ଟଙ୍କା ପରିଶୋଧ ପାଇଁ ବାଧ୍ୟ କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।
ଏନେଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଚିଲିକା ମାଧ୍ୟମରେ ଜିଲ୍ଲାପାଳ, ଅର୍ଥ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ତହସିଲଦାରଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି । ଋଣ ପରିଶୋଧ ପାଇଁ ଗୋଟିଏ ବର୍ଷର ସମୟ ଦେବାକୁ ମହିଳାମାନେ ଦାବି କରିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ, ଆଗାମୀ ଦିନରେ ରାଜରାସ୍ତା ଅବରୋଧ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ