ଭୁବନେଶ୍ବର: ବକେୟା ଟଙ୍କା ନମିଳିବାରୁ ଲେଡି ରିସେପସନିଷ୍ଟଙ୍କୁ ଛୁରୀ ଭୁସି ହତ୍ୟା । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଜିଜିପି କଲୋନୀ ସ୍ଥିତ ଫାୟାର ସେଫ୍ଟି କାର୍ଯ୍ୟାଳୟରେ ଘଟିଥିବା ହତ୍ୟା ଘଟଣାର ସତ ସାମ୍ନାକୁ ଆସିଛି । ସିକ୍ୟୁରିଟି ଗାର୍ଡର ଛୁରା ମାଡ଼ରେ ସମ୍ପୃକ୍ତ ଯୁବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ । ଗିରଫ ପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ହେଉଛି ରମେଶ ବାରିକ । ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।
ପୋଲିସର ସୂଚନା ଅନୁଯାୟୀ, ରମେଶ ବାରିକ ମଞ୍ଚେଶ୍ବର ଥାନା ଜିଜିପି କଲୋନୀ ସ୍ଥିତ ଫାୟାର ସେଫ୍ଟି କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା । ସେହି ସମୟରେ ଉକ୍ତ ସଂସ୍ଥାରେ କାର୍ଯ୍ୟରତ ଥିବା ଲେଡି ରିସେପସନିଷ୍ଟ ତା' ଠାରୁ ୧୫ ହଜାର ଟଙ୍କା ନେଇଥିଲେ । ତେବେ କିଛି ଦିନ ପୂର୍ବରୁ ସେ ଚାକିରୀ ଛାଡ଼ି ଦେଇଥିବା ବେଳେ ବକେୟା ଟଙ୍କା ମାଗିବାକୁ ଅଫିସ ଯାଉଥିଲା । ଏହାର କିଛି ଦିନ ପରେ ସେହି ସଂସ୍ଥାରେ ନୂତନ ଲେଡି ରିସେପସନିଷ୍ଟ ଭାବେ ବୈଜୟନ୍ତୀ ସାହୁ ଯୋଗ ଦେଇଥିଲେ । ରମେଶ ବାରିକ ଟଙ୍କା ମାଗିବାକୁ ଯାଇ ଦୀର୍ଘ ସମୟ ଧରି ଅଫିସରେ ବସି ରହୁଥିଲା । ପୂର୍ବତନ ରିସେପସନିଷ୍ଟଙ୍କୁ ଯୋଗାଯୋଗ କରି ତାଙ୍କ ଠାରୁ ଟଙ୍କା ମାଗିବାକୁ ବୈଜୟନ୍ତୀ ସାହୁଙ୍କୁ କହୁଥିଲେ । କିନ୍ତୁ ସଂସ୍ଥ୍ୟାର କର୍ମଚାରୀମାନେ ତାଙ୍କୁ ଫେରାଇ ଦେଉଥିଲେ ।
ଗତ ୨୧ ତାରିଖରେ ରମେଶ ଉକ୍ତ ଅଫିସରେ ପହଞ୍ଚି ପୂର୍ବତନ ରିସେପସନିଷ୍ଟଙ୍କ ସହ ଫୋନ ଯୋଗେ କଥା ହେବାକୁ ବୈଜୟନ୍ତୀଙ୍କୁ କହିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଝଗଡ଼ା ହୋଇଥିଲା । ଏଥିରେ ଅଭିଯୁକ୍ତ ରମେଶ ରାଗିଯାଇ ସେ ଆଣିଥିବା ଛୁରୀରେ ଉକ୍ତ ଯୁବତୀଙ୍କୁ ଆକ୍ରମଣ କରିଥିଲା । ରମେଶର ଆକ୍ରମଣରେ ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏହି ଘଟଣାଟି ହତ୍ୟା ମାମଲା ମୋଡ଼ ନେବା ପରେ ଅଭିଯୁକ୍ତକୁ କେନ୍ଦ୍ରାପଡ଼ାରୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ ।
ଏହି ଘଟଣା ନେଇ ଭୁବନେଶ୍ୱର ଡିସିପି କହିଛନ୍ତି, "ଲେଡି ରିସେପ୍ସନାଲିଷ୍ଟଙ୍କୁ ଛୁରା ମାଡ଼ ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବକେୟା ଟଙ୍କାକୁ ନେଇ ଏଭଳି କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି । କମ୍ପାନୀର କର୍ମଚାରୀ ଏବଂ ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ମଞ୍ଚେଶ୍ବର ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଥିବା ବେଳେ ତଦନ୍ତ ପରେ ଅଧିକ ତଥ୍ୟ ଜଣାପଡ଼ିବ ।" ଅନ୍ୟପଟେ ହତ୍ୟା ଘଟଣା ନେଇ ପୋଲିସ ହତ୍ୟାକାରୀର ସିନ ରିକ୍ରିଏସନ କରିପାରେ ବୋଲି ସୂଚନା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର