ଭୁବନେଶ୍ବର: ସହିପାରିଲେନି ବିଚ୍ଛେଦ । ଗତ ଶୁକ୍ରବାର ହସ୍ପିଟାଲରେ ବ୍ଲାଷ୍ଟ ଯୋଗୁଁ ଯାଇଥିଲା ସ୍ବାମୀଙ୍କ ଜୀବନ। ଆଉ ଏବେ ସ୍ବାମୀଙ୍କୁ ହରାଇବା ଦୁଃଖ ସହିନପାରି ପତ୍ନୀ ହାରିଦେଲେ ଜୀବନ । ରାଜଧାନୀ ସ୍ଥିତ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ଦିଲ୍ଲୀପ ସାମନ୍ତରାୟଙ୍କ ପତ୍ନୀ ସୌମ୍ୟାଶ୍ରୀ ଜେନା ବାପଘରେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି। ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ଗାନ୍ଧୀନଗରରୁ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇଛି ।
ପରିବାର ସମ୍ପର୍କୀୟଙ୍କ ଲୋକଙ୍କ କହିବା କଥା ମୃତ ଦିଲ୍ଲୀପ, ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଓ ୭୨ ବର୍ଷୀୟ ବୃଦ୍ଧ ମା'କୁ ନେଇ ଚାଲୁଥିଲା ତାଙ୍କ ସଂସାର । ଗତ ଶୁକ୍ରବାରଠୁ ଦିଲ୍ଲୀପଙ୍କ ଏଭଳି ଖବର ପାଇ ତାଙ୍କ ମା' ଓ ପତ୍ନୀ ମଧ୍ୟ ବେଶ ଭାଙ୍ଗିପଡିଥିଲେ । ଘରର ଏକମାତ୍ର ରୋଜଗାରିଆ ପୁଅ ଏଭଳି ସ୍ଥିତିକୁ ସେମାନେ ସହଜରେ ଗ୍ରହଣ କରିପାରିନଥିଲେ । ଗତ ୨ ବର୍ଷ ତଳେ ବେଶ ଆଡମ୍ବର ସହକାରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ରବିବାର ଦିଲ୍ଲୀପଙ୍କ ମୃତ୍ୟ ଖବର ଶୁଣିବା ପରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ ଉଭୟ । କଣ କରିବେ ଘରର ଅନେକ କରଜ ଧାର ସହ ରୋଜଗାରିଆ ପୁଅ ଓ ସ୍ବାମୀ ଚାଲିଗଲେ ଏଭଳି ଅସମୟରେ । ଘର ଚଳିବ କେମିତି ? କିଏ ସାହା ହେବ ?
ଏହା ବି ପଢନ୍ତୁ- ଭୁବନେଶ୍ବର ହସ୍ପିଟାଲରେ ବିସ୍ଫୋରଣ ଘଟଣା, ଜଣେ ଆହତ ମୃତ
ଏଭଳି ଅନେକ କଥା ପତ୍ନୀ ସୌମ୍ୟାଶ୍ରୀଙ୍କୁ ଚିନ୍ତିତ କରିଦେଇଥିଲା । ଏହା ପରେ ବାପ ଘରେ ଲୋକେ ସୌମ୍ୟାଶ୍ରୀଙ୍କୁ ନିଜ ପାଖକୁ ନେଇଯାଇଥିଲେ । ହେଲେ ଆଜି ସକାଳେ ୬ଟା ୧୫ରେ ଶେଷ ଥର ପାଇ ପରିବାର ଲୋକେ ସୌମ୍ୟାଶ୍ରୀଙ୍କୁ ଦେଖିଥିଲେ । ଲୋକେ ୭ଟା ୧୫ ବେଳକୁ ଘର ଭିତରେ କବାଟ ଦେଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଜଣାପଡ଼ିଛି । ଏହା ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର ସହ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୀର୍ଘ ୧୦ ବର୍ଷ ଧରି ଏସି ମେଣ୍ଟନାନ୍ସ କାମ କରୁଥିଲେ ଦିଲ୍ଲୀପ । ହାଇଟେକ୍ ହସ୍ପିଟାଲରେ ଟେଣ୍ଡର ନେଇ କାମ କରିବା ସହ ସେ ମୁଖ୍ୟ ମେକାନିକ ଥିଲେ ।
ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲରେ ଆଉଟଡୋର ଏସି କମ୍ପ୍ରେସର ବ୍ଲାଷ୍ଟ, 3 କର୍ମଚାରୀ ଆହତ
ଗତ ଶୁକ୍ରବାର ତାଙ୍କର ପରିବାର ପାଇଁ କାଳ ସମୟ ଆସିଥିଲା । ଦିଲ୍ଲୀପଙ୍କ ସମେତ ମୋଟ ୪ ଜଣ ହାଇଟେକ ହସ୍ପିଟାଲର ତୃତୀୟ ମହଲାରେ କାମ କରୁଥିବା ବେଳେ ହଠାତ ଏହି କମ୍ପ୍ରେସର ବ୍ଲାଷ୍ଟ ହୋଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ ବିସ୍ଫୋରଣରେ ଦିଲ୍ଲୀପ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ । ତାଙ୍କ ଶରୀରର ୯୦ ପ୍ରତିଶତ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ପରେ ରବିବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏବେ ପରିବାରରେ ଏକମାତ୍ର ୭୨ ବର୍ଷୀୟ ବୃଦ୍ଧ ମାଆ । ଯିଏକି ଏଭଳି ଦୁଃଖଦ ସମୟରେ ପରିବାର କିପରି ଚଳିବ କିଏ ସାହା ହେବ ? ଆଖି ସାମ୍ନାରେ ପୁଅବୋହୂ ଆରପାରିକୁ ଚାଲିଯିବା ପରେ ବୃଦ୍ଧା ମଧ୍ୟ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ।
ସେପଟେ ଏହି ବିସ୍ଫୋରଣ ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ନେଇଛନ୍ତି ? ଆର୍ଥିକ ସହାୟତା ଦେଇଛନ୍ତି କି ନାହିଁ ? ଏଭଳି ଦୁଃଖଦ ସମୟରେ ବକେୟା ବିଲ୍ ଟଙ୍କା ସହ ଦେବେ କି ନାହିଁ ତାହା ଜଣାପଡ଼ିନାହିଁ । ସେପଟେ ଏଇ ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି କି ନାହିଁ ? ଦୁର୍ଘଟଣା କିପରି ଘଟିଲା ? ଏଥିରେ ଅବହେଳା କାହାର ରହିଥିଲା ? ଏହା ଯାନ୍ତ୍ରିତ ତ୍ରୁଟି ନା ଆଉ କିଛି ରହିଛି ତା ବର୍ତ୍ତମାନ ଏକ ରହସ୍ୟ ହୋଇ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର