ଭୁବନେଶ୍ବର: ନୂଆ ରୂପ ପାଉଛି ଓଡ଼ିଶାର ଭୂମିପୁତ୍ର ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ଡାକୋଟା ବିମାନର ବେଲି ପାର୍ଟକୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ମୁଖରେ ରଖାଯାଇଛି । ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ରଖାଯାଇଛି । ଡାକୋଟାକୁ ମରାମତି କରାଯାଇ ଏହା ଦେହରେ ନୂଆ ଜୀବନ ଭରିବା ଲାଗି ପ୍ରଚେଷ୍ଟା ଜାରି ରହିଛି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜନ୍ମବାର୍ଷିକୀ ଅବସରରେ ଏହାକୁ ସର୍ବସାଧାରଣ କରାଯିବ ବୋଲି ସୂଚନା ମିଳିଛି ।
ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଡାକୋଟାର କାର୍ଯ୍ୟ ସରିବ। ବର୍ତ୍ତମାନ ସମୟରେ ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଗତକାଲି ମଧ୍ୟ ରାତିରେ ବାହାରେ ରଖାଯାଇଛି। ଆସନ୍ତା ସୋମବାର ମଧ୍ୟରେ ଫ୍ୟୁଜ ଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପରେ ଏଥିରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ। ଦୀର୍ଘ ଦିନ ଧରି ପଡିରହିଥିବା ଏହି ବିମାନଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲେ ମଧ୍ୟ ଏହାକୁ ମରାମତି କରିବା ସହ ରଙ୍ଗ ଦେଇ ସମ୍ପୂର୍ଣ୍ଣ ରୂପେ ଫିଟ କରାଯାଇଛି। ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ଅର୍ଥାତ ମାର୍ଚ୍ଚ ୫ ତାରିଖରେ ସର୍ବସାଧାରଣଙ୍କ ପ୍ରଦର୍ଶନ କରାଯିବ।
ଏହା ବି ପଢନ୍ତୁ- ବିଦେଶୀଙ୍କ କବଜାରେ ରାଜ୍ୟବାସୀଙ୍କ ଅର୍ଥ, ୧୦୦୦ କୋଟିର ଅନଲାଇନ ଚିଟଫଣ୍ଡ ଠକେଇ !
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ୧.୧ ଏକର ଜାଗା ଉପରେ ଏକ ପେଡେଷ୍ଟ୍ରାଲ କରାଯାଇଛି। ଏଠାରେ ସମ୍ପୂର୍ଣ୍ଣ ଭାବରେ ବିମାନକୁ ଇନଷ୍ଟଲ କରିବେ ରାଜ୍ୟ ସରକାର। ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଏହାର ଉଦଘାଟନ କରିବେ ବୋଲି ଯୋଜନା ରହିଛି। ସୂଚନା ଥାଉ କି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଥିଲା । ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍ ଭାବେ ସେ ଅନେକ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ବର ଗାଥା ବର୍ଣ୍ଣନା କରିବ। ଡଚ୍ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ ।
ଇଟିଭି ଭାରତ, ଭୁବନେଶ୍ବର