ଖୋର୍ଦ୍ଧା: ଆରମ୍ଭ ହେଲା ମା’ ଖିଲାମୁଣ୍ଡାଙ୍କ 16 ଦିନାତ୍ମକ ଯାତ୍ରା । ପ୍ରତିବର୍ଷ ଆଶ୍ଵିନ ମାସରେ ମା’ 16 ଦିନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ମଳ ମାସ ପଡୁଥିବାରୁ ରାଜପ୍ରସାଦରେ ୪୬ ଦିନ ରହି ଦଶହରା ଦିନ ପୁଣି ଫେରିଯିବେ ମା’ ଖିଲାମୁଣ୍ଡା ।
ଚଳିତ ବର୍ଷ ମା’ ଖିଲାମୁଣ୍ଡା ବୁଢାବୁଢୀ ରୂପରେ ଦର୍ଶନ ଦେଇଛନ୍ତି । ପ୍ରତି ବର୍ଷ ଶାରଦୀୟ ଦୁର୍ଗା ପୂଜା ଅବସରରେ ୧୬ ଦିନ ପାଇଁ ରଣପୁର ରାଜପ୍ରସାଦକୁ ମା’ ଆସନ୍ତି ଓ ପୂଜା ପାଆନ୍ତି । ଦ୍ବିତୀୟା ଓଷା ପୂର୍ବ ଦିନ ରାତିରେ ସ୍ଥାନୀୟ ରାଜ ପ୍ରସାଦ କର୍ମଚାରୀମାନେ ରାଜବାଟି ପରିସରରେ ଥିବା ଏକ ବିରାଟ ବାଉଁଶକୁ ରାଜଉଆସ ଅଭିମୁଖେ ନେଇଥାନ୍ତି ।
ଖିଲାମୁଣ୍ଡା ପୀଠକୁ ବାଉଁଶ ଖଣ୍ଡ ନେଇ ସେଠାରେ ପୂଜା ପାଠ କଲାପରେ କାଳିସୀ ସବାର ହୋଇଥାଏ । ପ୍ରଥମେ ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତି କିଭଳି ରହିବ ବୋଲି ମତ ଦେଇଥାନ୍ତି । ଖିଲାମୁଣ୍ଡା ସେଠାରେ ବୁଢାବୁଢୀ, ପୁଅ ପାତିଆକାର, ବୋହୂ ଗୁପତସିଂ ନାମରେ ରହିଥାନ୍ତି । ଯଦି ସେହି ବର୍ଷ ଠାକୁର ବୁଢାବୁଢୀ ରୂପରେ ଦର୍ଶନ ଦେବେ ସେହି ବର୍ଷ ଭଲ ଫସଲ ହେବ ବୋଲି ବିଶ୍ବାସ ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ