ଖୋର୍ଦ୍ଧା: ଦୀର୍ଘ ଦୁଇ ବର୍ଷର ଅନ୍ତରାଳ ପରେ ଚଳିତ ବର୍ଷ ବରୁଣେଇରେ ହେବ ରଜ ମହୋତ୍ସବ । 3 ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ହେବାକୁ ଥିବା ଏହି ମହୋତ୍ସବ ପାଇଁ ମଙ୍ଗଳବାର ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଜିଲ୍ଲାର ବୃହତ୍ତମ ଓ ଆକର୍ଷଣୀୟ ଏହି ମହୋତ୍ସବକୁ ସରସ ସୁନ୍ଦର ଶାନ୍ତିପୂର୍ଣ୍ଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ ଅଧକ୍ଷତା କରିଥିଲେ ।ବିଭିନ୍ନ ବିଭାଗର ଅଧିକାରୀ ସାମ୍ବାଦିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦିଶାନ୍ତର କର୍ମକର୍ତ୍ତା ଯୋଗ ଦେଇଥିଲେ । ପୌର ପରିଷଦର ଅଧକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧକ୍ଷ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ପ୍ରମୁଖ ଉପଯୁକ୍ତ ଥିଲେ । ଦୀର୍ଘ ଦୁଇ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଥିବା ରଜ ମହୋତ୍ସବରେ ବହୁ ସଂଖ୍ୟାରେ ଜନଗହଳି ହେବା ସମ୍ଭାବନା ଥିବାରୁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ଏଥିରେ କୁହାଯାଇଛି । ସେହିପରି ପ୍ରତିଦିନ ଏହି ଉତ୍ସବରେ ରଜପାନ, ଦୋଳି, ଝୋଟି, ତାସଖେଳ, ପୁଚିର ପ୍ରତିଯୋଗିତା ହେବାସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ