ଭୁବନେଶ୍ବର: ଜୀବନ ଯୁଦ୍ଧରେ ଅଟକି ଗଲେ ନବୀନ କ୍ୟାବିନେଟର ଧନୀ ମନ୍ତ୍ରୀ । 61 ବର୍ଷରେ ଆରପାରିକୁ ଚାଲିଗଲେ ପଶ୍ଚିମ ଓଡିଶାର ଅନ୍ୟତମ ବିତ୍ତଶାଳୀ, ପ୍ରଭାବଶୀଳୀ ରାଜନେତା । ସ୍ବାସ୍ଥ୍ୟ ବିଭାଗକୁ ଏକ ନିର୍ଣ୍ଣାୟକ ସ୍ତରରେ ପହଞ୍ଚାଇବାକୁ ନେଇ ଦେଖିଥିବା ସ୍ବପ୍ନ ରହିଗଲା ଅଧୁରା । ପଶ୍ଚିମ ଓଡିଶାର ପୂର୍ଣ୍ଣାଙ୍ଗ ବିକାଶ ନେଇ କରିଥିବା ଯୋଜାନକୁ ଲାଗିଲା ଧକ୍କା । ପ୍ରଥମେ ମା ମାଟି ପରେ ପାର୍ଟି କଥା କହୁଥିବା ନେତା ଆଜି ପୋଲିସ ଗୁଳିରେ ଶେଷ ନିଶ୍ବାସ ତ୍ୟାଗ କଲେ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଖାଲି ଝାରସୁଗୁଡା କାହିଁକି ପୁରା ପଶ୍ଚିମ ଓଡିଶା ସ୍ତବ୍ଧ । ପୁରା ପଶ୍ଚିମାଞ୍ଚଳରେ ଅଖଣ୍ଡ ପ୍ରଭାବ ରଖିଥିବା ନବ ଯେ ଏମିତି ଏଭଳି ଏହି ସମୟରେ ଚାଲିଯିବେ ତାହା କେବେ କେହି କଳ୍ପନା କରିନଥିଲେ ।
ଏହାବି ପଢନ୍ତୁ- Naba Kishore Das Death: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରଲୋକ, କିଏ କଣ କହିଲେ ?
ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ନବ ଥିଲେ ଜଣେ ଦକ୍ଷ ସଂଗଠକ । ୧୯୮୦ ମସିହାରେ ନବ ଦାସ ଛାତ୍ର ରାଜନୀତିରୁ ରାଜନୀତି ଆରମ୍ଭ କରିଥିଲେ। ସମ୍ବଲପୁର ଗଙ୍ଗାଧର ମେହେର କଲେଜର ଛାତ୍ର ସଂସଦର ସଭାପତି ହୋଇଥିଲେ ନବ । ପରେ ପାଠପଢା ଶେଷ ହେବା ପରେ ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ କାମ କରିଥିଲେ । ପ୍ରଥମ ଥର ପାଇଁ 2004 ମସିହାରେ ଝାରସୁଗୁ଼ଡା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ନବ ।
ବର୍ଷ 2009 ବିଧାନସଭା ନିର୍ବାଚନରେ ପୁଣି ଥରେ ଝାରସୁଗୁ଼ଡା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପ୍ରତିଦ୍ବନ୍ଦି ତଥା ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାସ୍ତ କରି ବିଧାନସଭା ପହଞ୍ଚିଥିଲେ । ପରେ ଦ୍ବିତୀୟ ଥର ପାଇଁ 2014 ରେ ପୁଣି ଥରେ ନବ ଦାସ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାସ୍ତ କରି ନିଜ ପ୍ରଭାବ ବିସ୍ତାର କରିବାରେ ଲାଗିଲେ ।
ନବଙ୍କ ପ୍ରଭାବ ଓ ବ୍ୟବସାୟ ଦେଖି ବିଜେଡିର ନଜର ତାଙ୍କ ଉପରେ ପଡିଥିଲା । ଶାସକ ବିଜେଡି କୌଣସି ମତେ ନବଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ପୁରା ଦମ ଲଗାଇ ଦେଇଥିଲା । ଆଉ ଦୀର୍ଘ ଆଲୋଚନା ବୁଝାମଣା ପରେ ଶେଷରେ ନବ ଦାସ 16 ଜାନୁୟାରୀ 2019 ରେ ନିଜ ମୂଳ ଦଳ କଂଗ୍ରେସକୁ ବାଏ ବାଏ କହିଥିଲେ । ମାତ୍ର ଏକ ସପ୍ତାହ ପରେ ତଥା 24 ଜାନୁୟାରୀ 2019 ବିଧାନସଭା ନିର୍ବାଚନ ପୂର୍ବରୁ ଝାରସୁଗୁଡାରେ ଏକ ବିରାଟ ସମାବେଶରେ ବିଜେଡିରେ ସାମିଲ ହୋଇଥିଲେ । ଏହାସହ 2019 ନିର୍ବାଚନ ବିଜେଡି ଟିକେଟରେ ଲଢି ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀ ହେବା ପରେ ଅନେକ ଭଲ କାମ କରି ନବ ଚର୍ଚ୍ଚାକୁ ବି ଆସିଥିଲେ । ଅନେକ ବିବାଦୀୟ ଟିପ୍ପଣୀ ଦେଇ ମଧ୍ଯ ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କର ଦକ୍ଷତା ପ୍ରଭାବ ଓ ନେତୃତ୍ବକୁ ଦେଖି ବିଜେଡି ତାଙ୍କୁ ପୁରା ପଶ୍ଚିମ ଓଡିଶାର ସଂଗଠନ ଉପରେ ମଧ୍ୟ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା । ନବ ମଧ୍ଯ ରାଜନୀତି ଜରିଆରେ ରାଜ୍ୟ ପାଇଁ ଅନେକ କିଛି କରିବାକୁ ସ୍ବପ୍ନ ଦେଖିଥିଲେ । ତାଙ୍କର ଦେହାନ୍ତ ପରେ ରାଜ୍ୟ ଜଣେ ଦକ୍ଷ ବିତ୍ତଶାଳୀ ପ୍ରଭାବଶାଳୀ ରାଜନେତାଙ୍କୁ ହରାଇଲା ।
ଇଟିଭି ଭାରତ, ଭୁବନେଶ୍ବର