ଭୁବନେଶ୍ବର: ଆସନ୍ତା ଅକ୍ଟୋବର ମାସରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇଛି ପ୍ରଦେଶ କଂଗ୍ରେସ ଶିବିର । ବେଶ ଉତ୍ସାହିତ ନେତା ଓ କର୍ମୀ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଓଡିଶା ଗସ୍ତ ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ଯୋଗାଇବାରେ ସହାୟକ ହେବ କି ? କେନ୍ଦ୍ରରେ ଯେଉଁ 'ନ୍ୟାସନାଲ ନ୍ୟାରେଟିଭ୍' ତିଆରି ହେଉଛି, ତାହା ରାଜ୍ୟକୁ ଆସିବ କି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ଗସ୍ତ ଓଡ଼ିଶା ରାଜନୀତିକୁ ପ୍ରଭାବିତ କରିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "କେନ୍ଦ୍ରରେ କଂଗ୍ରେସ ନେତୃତ୍ବରେ ଇଣ୍ଡିଆ ମେଣ୍ଟ ସୁଦୃଢ ହେଉଛି । ଏନ୍ଡିଏକୁ ଆଗାମୀ ନିର୍ବାଚନରେ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି । ତାହା ଆଭାସ ଏବେଠୁ ମିଳିଲାଣି । କିନ୍ତୁ ରାଜ୍ୟର କଂଗ୍ରେସ ନେତାମାନେ ଏତେଟା ପ୍ରଭାବଶାଳୀ ହେଉନାହାନ୍ତି । ଏହି ନ୍ୟାସନାଲ ନ୍ୟାରେଟିଭ୍କୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିନାହାନ୍ତି । କିନ୍ତୁ ରାହୁଲ ଓଡିଶା ଆସିଲେ, ସଭା ସମିତି କଲେ ଏହି ନ୍ୟାସନାଲ ନ୍ୟାରେଟିଭ୍ ଲୋକଙ୍କ ପାଖରେ ପହଞ୍ଚିପାରିବ ।" ରାଜ୍ୟରେ କଂଗ୍ରେସ ସୁଦୃଢ ହୋଇପାରିବ ବୋଲି ମତ ରଖିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ ।
ଅନ୍ୟପଟେ ରାହୁଲଙ୍କ ଗସ୍ତକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି , "ରାହୁଲ ଜଣେ ସର୍ବମାନ୍ୟ ନେତା । କଂଗ୍ରେସ କହିଲେ ରାହୁଲଙ୍କୁ ବୁଝାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରେମର ବାର୍ତ୍ତା ନେଇ ସେ ଭାରତ ଯୋଡ଼ ଯାତ୍ରାରେ ସଫଳ ହୋଇଛନ୍ତି । ସେହି ବାର୍ତ୍ତା ସେ ଓଡ଼ିଶାରେ ଲୋକମାନଙ୍କୁ ଦେବେ । ଓଡିଶାରେ ମଧ୍ୟ କର୍ଣ୍ଣାଟକ ପରି ସ୍ଥିତି ହେବ । ନିର୍ବାଚନ ଉପରେ ରାହୁଲଙ୍କ ଗସ୍ତର ପ୍ରଭାବ ପଡିବ । କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ହେବେ ।" ତେବେ ରାହୁଲଙ୍କ ଗସ୍ତରେ ରାଜ୍ୟ କଂଗ୍ରେସ ଆହୁରି ସୁଦୃଢ ହେବ ବୋଲି ଆଶା ରଖିଛନ୍ତି ପିସିସି ସଭାପତି ।
ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ: ସୁର
ସେହିଭଳି ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ ଗସ୍ତରେ ଓଡିଶାର କର୍ମୀ ଓ ଭୋଟରମାନଙ୍କ ମନୋବଳ ବଢିବ । କାଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା କରି ରାହୁଲ ଏକତା ଓ ଅଖଣ୍ଡତାର ବାର୍ତ୍ତା ଦେଇଛନ୍ତି । ସେ ଜଣେ ଭାରତର ଅପ୍ରତିଦ୍ବନ୍ଦ୍ବୀ ନେତା । ତାଙ୍କର ଓଡିଶା ଆଗମନ କେବଳ କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିବ ତା' ନୁହେଁ, ନିର୍ବାଚନୀ ବର୍ଷରେ ଏକ ନୂଆ ଦିଗ ମଧ୍ୟ ଦେଖାଇବ ।"
ସଦସ୍ୟତା ପଦ ଫେରିପାଇବା ପରେ ଜାତୀୟ ଗଣଣାଧ୍ୟମର ଶିରୋନାମା ପାଲଟିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ତାଙ୍କୁ ଚର୍ଚ୍ଚା ଭିତରକୁ ଟାଣି ଆଣିଛି । ବିରୋଧୀ ଦଳଙ୍କ ଇଣ୍ଡିଆ ମେଣ୍ଟ ତାଙ୍କରି ନେତୃତ୍ବରେ ଏନ୍ଡିଏକୁ କଡା ଟକ୍କର ଦେବା ପାଇଁ ମୁଣ୍ଡ ଟେକିଛି । ଏପରିକି ନିର୍ବାଚନୀ ବାଜି ଜିତିବା ପାଇଁ ପ୍ରୟାସ ମଧ୍ୟ ଆରମ୍ଭ କରିଦେଇଛି । ଏପରି ସମୟରେ ରାହୁଲଙ୍କ ଓଡିଶା ଗସ୍ତ ରାଜ୍ୟ କଂଗ୍ରେସ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ରାଜ୍ୟ କଂଗ୍ରେସ ଏଥିରୁ କେତେ ଫାଇଦା ଉଠାଉଛି, ତାହା ଉପରେ ସମସ୍ତଙ୍କ ନଜର ।
ଇଟିଭି ଭାରତ, ଭୁବନେଶ୍ବର