ଭୁବନେଶ୍ବର: ଓଡିଶା ଖଣିଜ ସମ୍ପଦ ଅଞ୍ଚଳ ବିକାଶ ନିଗମ (ଓମ୍ବାଡିସି)ର ୨୫ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡିରେକ୍ଟର୍ସ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ତଥା ଓମ୍ବାଡିସିର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଓମ୍ବାଡିସି ପାଣ୍ଠିରୁ ଆବଣ୍ଟିତ ଆର୍ଥିକ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଖର୍ଚ୍ଚ ସ୍ଥିତି ଅନୁଧ୍ୟାନ ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ଗୁଣାତ୍ମକମାନ ବଜାୟ ରଖିବା ଉପରେ ସିଏସ ଗୁରୁତ୍ୱାରୋପ କରିଥିଲେ ।
ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ସଦସ୍ୟ ଓ ସଦସ୍ୟାମାନଙ୍କର ଉପସ୍ଥିତିରେ ଓମ୍ବାଡିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜି.ରାଜେଶ ୨୦୨୨-୨୩ ବର୍ଷରେ ନିଗମର ଆର୍ଥିକ ସ୍ଥିତି ଉପସ୍ଥାପନ କରିଛନ୍ତି । ବିଭିନ୍ନ ବାବଦରେ ଅର୍ଥ ସଂଗ୍ରହ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଖର୍ଚ୍ଚ ଅନୁମୋଦନ ଓ ବିଭିନ୍ନ ବିଭାଗକୁ ଖର୍ଚ୍ଚ ଆବଣ୍ଟନ ପରିପ୍ରେକ୍ଷୀରେ ସେ ତଥ୍ୟ ରଖିଛନ୍ତି । ଖଣିଜ ଅଞ୍ଚଳରେ ବିଭିନ୍ନ କ୍ଷତିପୂରଣ ବାବଦରେ ସଂଗୃହିତ ଅର୍ଥ ପାଣ୍ଠିରୁ ପରିଷଦ ୨୦୧୯ ମସିହା ଏପ୍ରିଲରୁ ଅଦ୍ୟାବଧି ୧୭,୩୧୮.୦୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ଟି ବିଭାଗ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରସ୍ତାବ କ୍ରମେ ଏହି ଖର୍ଚ୍ଚ ଦିଆଯାଇଛି । ଆବଣ୍ଟିତ ଅର୍ଥରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ୯,୧୮୧.୦୬ କୋଟି ଟଙ୍କାରୁ ୬,୨୨୭.୯୭ କୋଟି ଟଙ୍କା ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ପରିବେଶ ସୁରକ୍ଷା, ଗ୍ରାମ୍ୟ ସଡକ ଯୋଗାଯୋଗ, ଜୀବନଜୀବିକା, ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ପ୍ରମୁଖ କାର୍ଯ୍ୟକ୍ରମ ଅନ୍ତଭୁକ୍ତ ରହିଛି ।
ମୟୂରଭଞ୍ଜ ଜିଲ୍ଲାର ୬୯୦ଟି ଗ୍ରାମରେ ଏକକ, ୭୮୭ଟିରେ ବହୁ-ଗ୍ରାମ(ମଲ୍ଟି ଭିଲେଜ) ଯୋଜନାରେ ଏବଂ ୧୪ଟି ପୌରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ମୋଟ ୮୯୦୯ କୋଟି ଟଙ୍କା ବିନିଯୋଗ ହେବ । ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ‘୫ ଟି’ ଉପକ୍ରମ ଆଧାରରେ ୧୧୪୬ଟି ଉଚ୍ଚ ବିଦ୍ୟାଳୟକୁ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନୁଦାନ ଦିଆଯାଇଛି । ତନ୍ମଧ୍ୟରୁ ୧୦୮୮ଟିର ନିର୍ମାଣ କାର୍ଯ୍ୟ ସରିଛି । ତୃତୀୟ ପର୍ଯ୍ୟାୟରେ ଆଉ ୨୦୫ଟି ସ୍କୁଲ ରୂପାନ୍ତରୀକରଣ ପାଇଁ ଅନୁଷ୍ଠିତ ବୈଠକରେ ଅନୁମୋଦନ କରାଯାଇଛି । ଏଥି ପାଇଁ ୧୨୫.୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମଏମଏସପିଓ୍ୱାଇ)ରେ ୭୮ ଟି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପକୁ ୫୮୯.୪୬ କୋଟି ଟଙ୍କା ପ୍ରଦାନ ପାଇଁ ବୈଠକରେ ପ୍ରସ୍ତାବ ଆଗତ କରାଯାଇଛି । ଏହା ଦ୍ୱାରା ୧ ଲକ୍ଷ ୬୧ ହଜାର ୫୫୦ କିଶୋରୀ ବାଳିକା, ୧,୮୪,୦୦୦ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ୬୦୦୦ରୁ ଅଧିକ ଶିଶୁମାନଙ୍କ ପୁଷ୍ଟି ସାଧନରେ ଉପକୃତ ହେବେ । ଓମ୍ୱାଡିସି ମଧ୍ୟ ଖଣିଜ ସମ୍ପଦ ଥିବା ଜିଲ୍ଲାରେ ସରକାରୀ ଆଇଟିଆଇ ଓ ପଲିଟେକନିକକୁ ଉନ୍ନିତ କରି ସେସବୁକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସହଯୋଗ ଦେଇଆସୁଛି । ଏହି କାର୍ଯ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କରୁଛି । ୧୬ଟି ଆଇଟିଆଇ ଓ ପଲିଟେକନିକ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟତମ ମହତ୍ୱାକାଂକ୍ଷା ପ୍ରକଳ୍ପ ଭାବେ ଓମ୍ବାଡିସି ପାଣ୍ଠିରେ କରାଯାଇଥିବା ବିଭିନ୍ନ ପୌରାଞ୍ଚଳ ଓ ବିଜ୍ଞପିତ ଅଞ୍ଚଳ ପରିଷଦରେ ୧୧ଟି ଇଣ୍ଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସେହିପରି ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ଆଞ୍ଚଳିକ ଗବେଷଣା ବୈଷୟିକ ଜ୍ଞାନକୌଶଳ ପ୍ରଦ୍ୟୋଗିକ ସ୍ଥାନାନ୍ତରଣ କେନ୍ଦ୍ର ଗୁଡିକର ଉନ୍ନତିକରଣ, କୃଷି ବିଜ୍ଞାନ କେନ୍ଦ୍ର, ସରକାରୀ ଇଂଜିନିୟରିଂ କଲେଜ, କେନ୍ଦୁଝର ଓ ଏନସି କଲେଜ ଯାଜପୁରର ଉନ୍ନତିକରଣ ସହ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ମୋଟ ୩୫୩୯.୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲା, ବ୍ଲକ ଓ ସବ ବ୍ଲକ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଯାଜପୁର ମେଡିକାଲ କଲେଜରେ ୧୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଶାଖା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ନୂଆ ଭିତ୍ତିଭୂମି ପ୍ରକଳ୍ପ, ଓମ୍ବାଡିସି ସହାୟତା କରୁଥିବା ଖଣି ଥିବା ଜିଲ୍ଲାଗୁଡିକରେ ବହୁମୁଖୀ ପୁନର୍ବାସ କେନ୍ଦ୍ର ନିର୍ମାଣ ପାଇଁ ୨୯୪୨.୯୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ସେହିପରି ଜଳ ସଂରକ୍ଷଣ କ୍ଷେତ୍ରରେ ୭୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇ ସଂପୃକ୍ତ ବନଖଣ୍ଡ ଅଧିକାରୀମାନଙ୍କ ଦ୍ୱାରା ବନାଞ୍ଚଳରେ ରକ୍ଷଣାବେକ୍ଷଣ, ବୃକ୍ଷ ଚାରା ରୋପଣ ଓ ବନୀକରଣ ଭଳି କାର୍ଯ୍ୟ କରାଯାଉଛି । ସେହିପରି ଗାମୀଣ ସଡକ ଯୋଗାଯୋଗ କ୍ଷେତ୍ରରେ ପ୍ରାୟ ୭୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଯୋଗାଯୋଗ ନଥିବା ବସତିକୁ ୨୪୯ ଟି ସବୁଦିନିଆ ରାସ୍ତା ଓ ୨୫ ଟି ସେତୁ ନିର୍ମାଣ ଲକ୍ଷ୍ୟ ରହିଛି । ଉଦ୍ୟାନ କୃଷି, ପ୍ରାଣୀ ପାଳନ, ମତ୍ସ୍ୟ ଚାଷ, ରେଶମ କୀଟ ପାଳନ, ବୟନଶିଳ୍ପ ଆଦି କ୍ଷେତ୍ରରେ ଜୀବନଜୀବିକା କ୍ଷେତ୍ର ପ୍ରକଳ୍ପ ପାଇଁ ୫୦୦ କୋଟିରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି । କ୍ଷେତ୍ର ପରିଦର୍ଶନ, ଯୁଗ୍ମ ସମୀକ୍ଷା ବୈଠକ ସହ ପ୍ରକଳ୍ପ ଅଗ୍ରଗତି ପାଇଁ ନିୟମିତ ତଦାରଖ କରାଯାଉଛି ।
ବୈଠକରେ ଓମ୍ବାଡିସିର ବାର୍ଷିକ ବିବରଣୀ ଅଭ୍ୟୁଦୟ ୨୦୨୧-୨୨ ଏବଂ ଜାନୁଆରୀ ଏବଂ ଫେବୃୟାରୀ ୨୦୨୩ର ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଛି । ପରିଷଦ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ପରିଷଦର ନୂତନ ନିର୍ଦ୍ଦେଶକ ସଦସ୍ୟ, ସଦସ୍ୟା ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ବୈଠକରେ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ପ୍ରଧାନ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳଙ୍କ ସମେତ ଓମ୍ବାଡିସିର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦର ଅନ୍ୟ ନିର୍ଦ୍ଦେଶକ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର