ଭୁବନେଶ୍ବର: ଓଲିଉଡ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ । ପୁରୁଷବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ । ସମ୍ପର୍କ ନିବିଡ ହେବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ଖାଲି ସେତିକି ନୁହେଁ, ପୁରୁଷ ବନ୍ଧୁ ତାଙ୍କୁ ସୁଟିଂ ସେଟରେ ହଙ୍ଗାମା କରୁଥିବା ସହ ଧମକଚମକ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ବର୍ତ୍ତମାନ ପୁରୁଷବନ୍ଧୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଥାନା ଏବଂ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ । ଘଟଣା ଶୁଣି ଓଲିଉଡରେ ଚାଞ୍ଚଲ୍ୟ ଖେଳିଯାଇଛି ।
ଘଟଣା ନେଇ ପୂର୍ବରୁ ମଧ୍ୟ ଲକ୍ଷ୍ମୀସାଗର ଥାନାରେ ମାମଲା ମଧ୍ୟ ରୁଜୁ କରିଥିଲେ ଅଭିନେତ୍ରୀ । ଏହି ଅଭିଯୋଗ ପରେ ପୋଲିସ ଏହାକୁ ଗ୍ରହଣ କରିନଥିଲା। ଏହା ପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିନେତ୍ରୀ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ଲକ୍ଷ୍ମୀସାଗର ଥାନା ପୋଲିସ କେଶ ରୁଜୁ କରିଛି । ଦଫା ୨୬୮, ୨୯୪, ୩୪୯, ୩୫୦ , ୩୫୪ , ୩୫୪ ଏ , ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩ , ୫୦୬ ରେ ମାମଲା ରୁଜୁ କରିଛି ପୋଲିସ । ଆଇଟି ଆକ୍ଟ ୨୦୦୦ ର ୬୬ ଏ, ୬୬ ଇ, ୬୭, ୬୭ ଏ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
ପୁରୁଷ ବନ୍ଧୁ ମଧ୍ୟ ଜାତୀୟ ସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଧୀରେ ଧୀରେ ସମ୍ପର୍କ ନିବିଡ ହେବାକୁ ଲାଗିଲା । ଏପରିକି ଉଭୟଙ୍କ ପରିବାର ମଧ୍ୟରେ ବି ମିଳାମିଶା ବଢିଲା । ପରେ କିଛି ବିଜ୍ଞାପନ ସହ ଏକାଧିକ ଫିଲ୍ମରେ ହିରୋଇନ ହେବା ପାଇଁ ତାଙ୍କୁ ଅଫର କରିଥିଲେ ପୁରୁଷ ବନ୍ଧୁ । କିଛି ନାମାଦାମୀ ସିନେ ନିର୍ମାତାଙ୍କ ସହ ହୋଇଥିବା ଚୁକ୍ତିନାମାକୁ ମନା କରିବାକୁ କହିଥିଲେ । ବଡ଼ ପ୍ରଯୋଜକ ସଂସ୍ଥା ସହ କୌଣସି ଫିଲ୍ମ ସାଇନ କରାଇ ଦେଉନଥିଲେ । ପୁରୁଷ ବନ୍ଧୁଙ୍କ ମନମାନିକୁ ଅଭିନେତ୍ରୀ ଜଣଙ୍କ ବିରୋଧ କରିବାରେ ନାନା ଅତ୍ୟାଚାର ଓ ନିର୍ଯାତନାର ଶିକାର ହେଉଥିଲେ ଅଭିନେତ୍ରୀ । ସୁଟିଂ ସେଟରେ ହଙ୍ଗାମା ସହ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିଲେ ।
ଏହା ମଧ୍ୟ ପଢନ୍ତୁ: ପ୍ରୟୋଜକ ଟୁଟୁଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ପ୍ରକୃତି
2022ରୁ ପୁଣି ଅଭିନେତ୍ରୀଙ୍କ ଉପରେ ପୁରୁଷ ବନ୍ଧୁଙ୍କ ମାନସିକ ଏବଂ ଶାରିରୀକ ନିର୍ଯାତନା ବଢିବାରେ ଲାଗିଲା। ଅଭିନେତ୍ରୀ ତାଙ୍କ ସହ ମିଳାମିଶା ବନ୍ଦ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏପରିକି ପୁରୁଷ ବନ୍ଧୁ ଜଣକ ଧମକ ଦେଇ ଟଙ୍କା ମଧ୍ୟ ନେଇଥିଲେ । ତେବେ ଠକେଇ, ନିର୍ଯାତନା, ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର