ଭୁବନେଶ୍ବର: ଜାପାନରୁ ଆସିଲା 26 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଓଡି଼ଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଜାପାନୀ ନିବେଶକ । ରାଜ୍ୟର ଲଜିଷ୍ଟିକ୍ସ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଗ୍ରୀନ ଏନର୍ଜି ଉପକରଣ ଉତ୍ପାଦନ, ଆଇଟି କ୍ଷେତ୍ରରେ ପୁଞ୍ଜି ଲଗାଇବାକୁ କରିବାକୁ ଜାପାନର ନିବେଶକମାନେ ଆଗ୍ରହ ଦେଖାଇଛନ୍ତି । ଜାପାନ ରାଜଧାନୀ ଟୋକିଓରେ ଓଡ଼ିଶା ବିଜନେସ ମିଟ ଅବସରରେ ନିହୋନ-ଉତ୍କଳ ଓ ଆଇଆଇଆଇଟି ଭୁବନେଶ୍ବର ମଧ୍ୟରେ ଦକ୍ଷତା ବିକାଶକୁ ନେଇ ଏମଓୟୁ ସ୍ବାକ୍ଷର ହୋଇଛି ।
ଭାରତୀୟ ଦୂତାବାସ, ଜାପାନ ବୈଦେଶିକ ବାଣିଜ୍ୟ ସଂଗଠନ ଓ ଫିକି ସହଯୋଗରେ ଟୋକିଓରେ ରାଜ୍ୟ ସରକାର ଆୟୋଜନ କରିଥିବା ବିଜନେସ ମିଟରେ 200ରୁ ଅଧିକ ନିବେଶକ ଓ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଜାପାନର ସଭାପତି ଜଗମୋହନ ଏସ ଚନ୍ଦ୍ରାନି, ପିଡବ୍ଲୁସି ଏସିଆ ପାସିଫିକର ଉପାଧ୍ୟକ୍ଷ କୋଇଚିରୋ କିମୁରା, ଟିୱାଇକେ କର୍ପୋରେସନର ସଭାପତି ନୁବୋଟାକା ଉଷିଗୋମ, କ୍ରୋସାକି ହାରିମା କର୍ପୋରେସନର ଏମ୍ଡି ମାସାଫୁମି ଟାକେସିତା, ଆଇଏଚଆଇ କର୍ପୋରେସନର ସିଇଓ ହିରୋକି କୋବାୟାସି, ମାରୁବେନି ଇଟୋଚୁ ଷ୍ଟିଲର ସିଇଓ ଇସିତାନି, ଥାଇସେନ୍କ୍ରୁପର ନିର୍ଦ୍ଦେଶକ ଆକିତା ସିଗେତା, ଟୋୟୋ ଇଞ୍ଜିନିୟରିଂର ଗ୍ରୁପ ହେଡ ପୋନୋମାରେନ ଡିମିତ୍ରି, ଜେ ଗ୍ରିନ ପାୱାରର ସିଏମଡି ହିରୋନୋମୋ ମିୟାତା, ଜେଏଫଇ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ହିରୋୟୁକି ଓଗାୱା, ଫୁଜିସପ୍ଟର ସିଓଓ ରେନହଙ୍ଗ ସନ ଓ ନିସିନ ଫୁଡସର ସିଇଓ ମାଚିକୋୟ କାକୁଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ହେଉଛି ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ । ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଏହାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିଛି । ଏହା ଏକ ଶିଳ୍ପୋନ୍ନତ ରାଜ୍ୟ ଭାବେ ଦ୍ରୁତଗତିରେ ଉଭା ହେଉଛି । ରାଜ୍ୟରେ ବିପୁଳ ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଓ ଫଳାଫଳ ପ୍ରଦାନକାରୀ ସରକାର ରହିଛି । ନିବେଶ ଆକୃଷ୍ଟ କରିବାରେ ଏହା ଦେଶର ଅନ୍ୟତମ ରାଜ୍ୟ । ଭାରତରେ ପୂର୍ବାଞ୍ଚଳ, ଉତ୍ତରାଞ୍ଚଳ ଏବଂ ଏସିଆନ ରାଷ୍ଟ୍ର ଓ ମଧ୍ୟପ୍ରାଚ୍ୟ ଅଞ୍ଚଳ ପ୍ରତି ନଜର ରଖିଥିବା ନିବେଶକଙ୍କ ଲାଗି ଓଡିଶା ନିବେଶର ଏକ ପ୍ରମୁଖ କ୍ଷେତ୍ର ହେବ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିଳ୍ପାୟନ ପାଇଁ ନିବେଶକମାନଙ୍କୁ ସବୁପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ସର୍ବଦା ପ୍ରସ୍ତୁତ ରହିଛନ୍ତି । ଆମ ସାଂସ୍କୃତିକ ଇତିହାସର ସୁରକ୍ଷା ଲାଗି ମଧ୍ୟ ଆମେ ବେଶ ଯତ୍ନବାନ । ବୌଦ୍ଧ ପୀଠଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଧଉଳି, ଉଦୟଗିରି, ରତ୍ନଗିରି ଓ ଲଳିତଗିରିର ରୂପାନ୍ତରଣକୁ ନେଇ ମୁଁ ବେଶ୍ ଖୁସି ବୋଲି କହିଛନ୍ତି । ଏହି ଅବସରରେ ସେ ଜାପାନବାସୀଙ୍କୁ ଓଡ଼ିଶା ବୁଲିବାକୁ ଆସିବାକୁ ଆମନ୍ତ୍ରଣ କରିଛନ୍ତି ।
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଜେଇଟିଆରଓର କାର୍ଯ୍ୟନିର୍ବାହୀ ଉପସଭାପତି କାଜୁୟା ନାକାଜୋ, ଭାରତୀୟ ଦୂତାବାସର ଡେପୁଟି ହେଡ ଅଫ ମିସନ ମୟଙ୍କ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର