ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ତିନି କଟଅଫ୍ ମାର୍କ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ତାଲିକା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ବିଜ୍ଞାନ ବିଭାଗରେ ପୁରୀର SCS କଲେଜ ଆଗରେ ରହିଥିବା ବେଳେ କଳାରେ ରହିଛି ଫକୀର ମୋହନ କଲେଜ ଏବଂ ବାଣିଜ୍ୟରେ ରେଭେନ୍ସା କଲେଜ ଆଗରେ ରହିଛି ।
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ବର୍ଗରେ କଳା ବିଭାଗର ବାଲେଶ୍ଵରର ଫକୀର ମୋହନ ସ୍ଵୟଂଶାସିତ କଲେଜ ଏବଂ ବାରିପଦାର ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ଵୟଂଶାସିତ କଲେଜରେ ରାଜନୀତି ବିଜ୍ଞାନ ବିଭାଗରେ ୯୧.୮୩ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି । ସେହିପରି ପୁରୀର ସାମନ୍ତ ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ ୯୪.୫୦ ପ୍ରତିଶତ କଟଅଫ୍ ମାର୍କ ରହିଥିବା ବେଳେ ୯୪ ପ୍ରତିଶତ ଗଣିତରେ କଟଅଫ୍ ମାର୍କ ରହିଛି । ପୁରୀର ସାମନ୍ତ ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ୯୫.୬୦ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି । ବାରିପଦାର ମହାରାଜା ପୂର୍ଣ୍ଣ ଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ୯୪.୮୩ କଟଅଫ୍ ମାର୍କ ରହିଛି । ସେହିପରି ବାଣିଜ୍ୟରେ ରେଭେନ୍ସା କଲେଜ ୮୬.୮୩ ପ୍ରତିଶତ ରହିଥିବା ବେଳେ ବିଜେବି କଲେଜରେ ୮୫.୮୩ ପ୍ରତିଶତ କଟଅଫ୍ ମାର୍କ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟ +2 ନାମଲେଖା ଆରମ୍ଭ, ରେଭେନ୍ସାରେ ଚାଲିଛି ଆଡ଼ମିଶନ
ଚଳିତ ବର୍ଷ ରାଜ୍ୟର ୧୦୪୧ଟି ମହାବିଦ୍ୟାଳୟରେ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ହୋଇଥିଲା । ଏଥିରେ ମୋଟ ୨ ଲକ୍ଷ ୨୩ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୭୪ ହଜାର ୧୯୫ ଜଣ ମନୋନୀତ ହୋଇଛନ୍ତି । କଳାରେ ୧ ଲକ୍ଷ ୮ ହଜାର ୪୮୩ ଜଣ, ସେଲ୍ଫ ଫାଇନାନ୍ସିଂରେ ୧ ହଜାର ୩୬୭ ଜଣ, ବାଣିଜ୍ୟରେ ୧୭ ହଜାର ୨୧୭ ଜଣ, ସଂସ୍କୃତରେ ୩ ହଜାର ୮୭୦ ଜଣ, ଭୌତିକ ବିଜ୍ଞାନରେ ୨୪ ହଜାର ୩୩୯ ଜଣ ଓ ଜୀବ ବିଜ୍ଞାନରେ ୧୮ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି । ଏଥି ମଧ୍ୟରୁ ଛାତ୍ର ରହିଛନ୍ତି ୭୨ ହଜାର ୧୬୩ ଓ ଛାତ୍ରୀ ରହିଛନ୍ତି ୧ ଲକ୍ଷ ୨ ହଜାର ୧୫ ଜଣ ।
ପୂର୍ବନିର୍ଦ୍ଧାରିତ ସୂଚନା ଅନୁଯାୟୀ, କଟଅଫ୍ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ । ଏହାସହ କେବଳ ଜୁଲାଇ ୧୬ ତାରିଖ(ରବିବାର) ପାଇଁ ଛୁଟି ରହିବ। ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ । ସେହିପରି ଜୁଲାଇ ୨୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ ।
ଇଟିଭି ଭାରତ, ଭୁବନେଶ୍ବର