ଭୁବନେଶ୍ବର: ଆସନ୍ତା 2023-24 ଶିକ୍ଷା ବର୍ଷରୁ ଯୁକ୍ତ ତିନିରେ NCCକୁ ଜେନେରାଲ ଇଲେକ୍ଟିଭ ସିଲାବସରେ ସାମିଲ କରାଯିବ । ଏନେଇ ସବୁ କୁଳପତି ଓ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମଡେଲ ସିଲାବସ୍ ଅନୁଯାୟୀ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସାଧାରଣ ଚୟନ ପାଠ୍ୟକ୍ରମ ଭାବରେ ପରିଣତ କରାଯାଇଛି ।
ବୋର୍ଡ ଅଫ୍ ଷ୍ଟଡିଜ୍ ଏବଂ ଏକାଡେମିକ୍ କାଉନସିଲ୍ ପରି ସେମାନଙ୍କର ବିଧିଗତ ଏକାଡେମିକ୍ ସଂସ୍ଥାଗୁଡ଼ିକର ଅନୁମୋଦନ ପରେ ୟୁଜି ସ୍ତରରେ ପାଠ୍ୟକ୍ରମରେ “NCC”କୁ ଜେନେରାଲ୍ ଇଲେକ୍ଟିଭ୍ କ୍ରେଡିଟ୍ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ତେବେ ଏହି NCC ବିଷୟରେ କଣ ରହିବ ପାଠ୍ୟକ୍ରମ, କିଭଳି ଛାତ୍ରଛାତ୍ରୀ ଏହାକୁ ପଢି ପରୀକ୍ଷା ଦେବେ ସେନେଇ ଖସଡ଼ା ପ୍ରସ୍ତୁତ କରାଯାଇଛି ।
NCCର ଇତିହାସ ବିଷୟରେ ଜାଣିବା ସହ ଜ୍ଞାନ ଆହରଣ କରିବା ଏହାର ମୂଳ ଉଦ୍ଦେଶ୍ୟ । କ୍ୟାରିଅର ପାଇଁ NCCର ପ୍ରୋତ୍ସାହନ ଏବଂ NCC କ୍ୟାଡେଟମାନଙ୍କର କର୍ତ୍ତବ୍ୟ ଏବଂ ଆଚରଣ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଜାତୀୟ ଏକୀକରଣର ଧାରଣା, ମହତ୍ତ୍ୱ ଏବଂ କାରଣଗୁଡିକ ବୁଝିବା । ଡ୍ରିଲ୍ ଶିଖିବା ଏବଂ ଏକ ସାଧାରଣ ଲକ୍ଷ୍ୟ ହାସଲ ଦିଗରେ ଦଳ କିମ୍ବା ଗୋଷ୍ଠୀକୁ ଆଗେଇ ନେବା ପାଇଁ ଶୃଙ୍ଖଳା, ନିର୍ଦ୍ଦେଶ ଏବଂ ଆଜ୍ଞା ପାଳନ କରିବାରେ ଏହାର ମୂଳ ଭୂମିକା ବୁଝିବା। ପ୍ରାଥମିକ ଚିକିତ୍ସାର ମୌଳିକ ଜ୍ଞାନ ଆହରଣ କରିବା । ବ୍ୟକ୍ତିତ୍ୱର ବିକାଶରେ ଜଡିତ କାରଣଗୁଡିକ ବୁଝିବା ଏବଂ ଅତ୍ୟାବଶ୍ୟକ ଜୀବନ କୌଶଳ ବିଷୟରେ ଏକ ବର୍ଦ୍ଧିତ କୌଶଳ ହାସଲ କରିବା ।
ବିପର୍ଯ୍ୟୟ ପରିଚାଳନା, ଅତ୍ୟାବଶ୍ୟକ ସେବା, ଅଗ୍ନିଶମ ବିଷୟରେ ପାଠ ପଢିବେ ଛାତ୍ରଛାତ୍ରୀ । ଯୁଦ୍ଧ ଏବଂ ନାଗରିକ ପ୍ରତିରକ୍ଷା ସଂଗଠନ , ସାମାଜିକ ସେବା, ସାମାଜିକ ନିରାପତ୍ତାର ଧାରଣା ଏବଂ ଏହାର ଗୁରୁତ୍ୱକୁ ବୁଝିବେ । ନେତୃତ୍ୱ ଗୁଣ ବିଷୟରେ ଏକ ଜ୍ଞାନ ଆହରଣ କରିବେ ଏବଂ ବିଭିନ୍ନ ଦ୍ୱନ୍ଦ୍ୱ ସମୟରେ ପ୍ରସିଦ୍ଧ ସାମରିକ କର୍ମଚାରୀଙ୍କ କୃତିତ୍ୱ ବିଷୟରେ ଅବଗତ କରାଯିବ । ସେନାରେ ବ୍ୟବହୃତ କୌଶଳ ସହିତ ପରିଚିତ ହେବେ ଯେପରିକି ମାନଚିତ୍ର ପଠନ ଏବଂ କ୍ଷେତ୍ର ଶିଳ୍ପ ଏବଂ ଯୁଦ୍ଧ ଶିଳ୍ପର ଦିଗଗୁଡିକ ଉପରେ ଅବଗତ କରାଇବ । ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ପରିଚାଳନା ପାଇଁ ପ୍ରାକୃତିକ ସମ୍ପଦ, ଆବଶ୍ୟକତା ଏବଂ ରଣନୀତି ବିଷୟରେ ଗଭୀର ଭାବରେ ଆଲୋଚନା କରାଯିବାର ଯୋଜନା ରହିଛି ।
ତେବେ ଏହି NCC ପାଠ୍ୟକ୍ରମରେ 4 ଟି ସେମିଷ୍ଟାର ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରହିବ ପାଠ୍ୟକ୍ରମ । ମୋଟ ମାର୍କ 100 ମାର୍କ ରଖାଯାଇଛି । ସେଥି ମଧ୍ୟରୁ ମିଡ୍ ସେମିଷ୍ଟର 15 ମାର୍କ ଓ ଏଣ୍ଡ୍ ସେମିଷ୍ଟର 60 ମାର୍କ ରହିଥିବା ବେଳେ ପ୍ରାକ୍ଟିକାଲରେ 25 ମାର୍କ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର