ଭୁବନେଶ୍ବର: କୋଟିଆ କଣ୍ଟା ନା ଭାଙ୍ଗୁଛି ନା ଛିଡୁଛି । ଦିନ ଗଡୁଛି ବିବାଦ ବଢୁଛି । ରାଜନୈତିକ ଫାଇଦା ନେବାକୁ ବିଜେଡି-ବିଜେପି ଅଣ୍ଟା ଭିଡ଼ିଛି । ଉତ୍କଳ ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଆନ୍ଧ୍ର ଗୋ ବ୍ୟାକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କୋଟିଆରେ ରାଜ୍ୟ ସରକାର ବିକାଶ କରିନଥିବା ବିଜେପି ଅଭିଯୋଗ କରିଛି । ଯାହାର ଜବାବରେ ତୀକ୍ଷ୍ଣ ମନ୍ତବ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା, ସେ ରାସ୍ତା ରାଜ୍ୟ ସରକାର କରିଛନ୍ତି ବୋଲି କହିଛନ୍ତି ପ୍ରମିଳା ।
ପ୍ରମିଳା କହିଛନ୍ତି, "ବିଜେପି କୋଟିଆ ଯାଇଥିବା ରାସ୍ତା ରାଜ୍ୟ ସରକାର କରିଛନ୍ତି । ସ୍କୁଲ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ରାଜ୍ୟ ସରକାର କରିଛନ୍ତି । ଡାକ୍ତରଖାନା ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ଟଙ୍କାରେ ହୋଇଛି । କୋଟିଆ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । କୋଟିଆ ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ରାଜସ୍ବ ମନ୍ତ୍ରୀ । ଅନୁରୋଧ କରିବି କେନ୍ଦ୍ର ସରକାର ଦୁଇ ରାଜ୍ୟ ସରକାରଙ୍କୁ ଡାକି ସୀମା ନିର୍ଦ୍ଧାରଣ କରିଦିଅନ୍ତୁ । କୋଟିଆ ସମସ୍ୟାକୁ ତୁରନ୍ତ ସମାଧାନ କରି ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇଥିଲେ । ଏକଥା ଆଲୋଚନା କରିବା ଦରକାର ବୋଲି ସେ ଅନୁଭବ କରୁଛନ୍ତି । ତେବେ କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ । କାହାର କେଉଁଠି ସୀମା ତାହା ନିର୍ଦ୍ଧାରଣ କରନ୍ତୁ ।"
ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତରେ ଯାଇଥିଲେ । କୋଟିଆରେ କେନ୍ଦ୍ରମନ୍ତ୍ରୀ ଉତ୍କଳ ଦିବସ ପାଳିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ମନ୍ତବ୍ୟ ଦେଇଥିଲେ । କୋଟିଆ ଆନ୍ଧ୍ରର ନୁହେଁ, ଓଡିଶାର ବୋଲି ସେ କହିଥିଲେ । ଉତ୍କଳ ଦିବସରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା ବେଳେ କୋଟିଆରେ ପହଞ୍ଚି ଆନ୍ଧ୍ରକୁ ସିଧାସଳଖ ଚେତାବନୀ ଦେଇଥିଲେ ଧର୍ମେନ୍ଦ୍ର ।
ସେପଟେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେପି ବିଧାୟକ ଦଳ । କୋଟିଆ ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା କଥାକୁ ସମର୍ଥନ କରିବା ପରିବର୍ତ୍ତେ ବିଜେଡ଼ି ନେତା ଆନ୍ଧ୍ରପ୍ରଦେଶ ସରକାରଙ୍କ ଭାଷା କହୁଛନ୍ତି, ଯାହା ଦୁର୍ଭାଗ୍ୟଜନକ । ଓଡ଼ିଶା ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର