ଖୋର୍ଦ୍ଧା: ରାଜ୍ୟରେ କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଓଡିଶା ପୋଲିସର ଅବଦାନ ଅତୁଳନୀୟ । ଦିନରାତି ଏକ କରି ପୋଲିସ ଅଧିକାରୀମାନେ ନିଜ ପରିବାରକୁ ଛାଡି ରାଜ୍ୟବାସୀଙ୍କ ସେବା କରୁଥିବା ଦେଖାଯାଉଛି । ଭାରତୀୟ ନୌସେନା ଆଇଏନଏସ ଚିଲିକା ଅଧିକାରୀ ଏନେଇ ଓଡିଶା ପୋଲିସର ପ୍ରୟାସକୁ ଖୁବ ପ୍ରଶଂସା କରିଛନ୍ତି l ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟରୁ ସଂକ୍ରମଣ ହଟାଇବା ପାଇଁ ପୋଲିସର ଭୂମିକା ମୁଖ୍ୟ ପାଲଟିଛି ।
କୋରୋନା ଭୂତାଣୁକୁ ସମଗ୍ର ଦେଶରୁ ହଟାଇବାରେ ପୋଲିସ ବାହିନୀ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଏହାକୁ ସଲାମ କରିଛି ଆଇଏନଏସ ଚିଲିକା । ସୋମବାର ଏନେଇ ଆଇଏନଏସ ଚିଲିକା ପକ୍ଷରୁ ପ୍ରଶାସନିକ ଅଧିକାରୀ କମାଣ୍ଡର ତ୍ରିଲୋଚନ ରାଉତ ଓ ଲେଫ୍ଟନାଣ୍ଟ ସନୋଜ ଥାକରଣ ବାଲୁଗାଁ ଏସଡିପିଓ ସୁରେଶ କୁମାର ଦାସଙ୍କୁ ଭେଟି ଭାରତୀୟ ନୌସେନା ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ନୌସେନା ପକ୍ଷରୁ ମାସ୍କ ଓ ସାନିଟାଇଜ ଭର୍ତ୍ତି ଏକ ବାକ୍ସ ମଧ୍ୟ ପୋଲିସକୁ ପ୍ରଦାନ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ