ଭୁବନେଶ୍ବର: ସହରାଞ୍ଚଳରେ ପରିମଳ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ତ୍ଵରାନ୍ୱିତ କରାଯାଇଛି । ଅର୍ବାନ ଓଡ଼ିଶାର ନିର୍ଦ୍ଧାରିତ ଆଭିମୁଖ୍ୟ ପରିପୂରଣ ସମ୍ପର୍କରେ ସମୀକ୍ଷା ତଥା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ସ୍ଵଚ୍ଛ ଭାରତ ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ମହାନଗର ନିଗମ ଗୁଡିକର ଉପାୟୁକ୍ତ, ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ପରିମଳ ବିଶେଷଜ୍ଞ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ ।
ଶତ ପ୍ରତିଶତ ଡୋର ଟୁ ଡୋର ବର୍ଜ୍ୟ ସଂଗ୍ରହ, ସମ୍ପଦ କେନ୍ଦ୍ରମାନଙ୍କର ସୁପରିଚାଳନା, ବସ୍ତି ଅଞ୍ଚଳରେ ୧୦୦% ମୋ ଶୌଚାଳୟ ନିର୍ମାଣ, ଆକାଂକ୍ଷୀ ଶୌଚାଳୟ ଓ ‘ଲୁ’ ନିର୍ମାଣ ଓ ମୌସୁମୀ ପୂର୍ବରୁ ନଳା ସମୂହରୁ ପଙ୍କୋଦ୍ଧାର ଆଦି ବିଷୟରେ ବିସ୍ତୃତ ରୂପେ ଆଲୋଚନା କରାଯାଇଛି । ଓଡ଼ିଶାର ସହରାଞ୍ଚଳ ପରିମଳ ଓ ବର୍ଜ୍ୟ ପରିଚାଳନାରେ ଗୋଷ୍ଠୀ ସହଭାଗିତା ମଡେଲକୁ ସମସ୍ତ ପୌର ସଂସ୍ଥା ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ପ୍ରମୁଖ ଶାସନ ସଚିବ ମାଥି ଭାଥନନ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୌର ପ୍ରଶାସନ ନିର୍ଦ୍ଦେଶକ ତଥା ସ୍ଵଛ ଭାରତ ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ସହରାଞ୍ଚଳ ନାଗରିକ ମାନଙ୍କର ଜୀବନ ଧାରଣ ମାନରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ପୌର ସଂସ୍ଥାର କର୍ମଚାରୀ ବୃନ୍ଦ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣି ଦୃଢ କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ ନିମନ୍ତେ ଗୁରୁତ୍ଵ ଆରୋପ କରିଛନ୍ତି ।
ବୈଠକରେ ସମସ୍ତ ପୌର ସଂସ୍ଥା ଗୋଷ୍ଠୀ ସହଭାଗିତାକୁ ଭିତ୍ତି କରି ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ପ୍ରତି ଘରମାନଙ୍କରୁ ବର୍ଜ୍ୟ ସଂଗ୍ରହ ସୁନିଶ୍ଚିତ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ସେମାନଙ୍କ ତ୍ରୁଟି ସମ୍ପର୍କରେ ସଚେତନ କରିବା, ସେମାନଙ୍କୁ ବୁଝାଇବା ସହ ଏ ଦିଗରେ ପ୍ରଶିକ୍ଷିତ କରିବା ପାଇଁ ଗୁରୁତ୍ଵ ଦିଆଯାଇଛି । ଗୋଷ୍ଠୀ ସହଭାଗୀ ଓ ଟ୍ୟୁଲିପ ସହଯୋଗୀମାନଙ୍କୁ ପ୍ରତି ମାସ ୭ ତାରିଖ ମଧ୍ୟରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ପୌର ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବଜାର ଅଞ୍ଚଳ ଓ ଅନ୍ୟ ଲୋକଗହଳି ସ୍ଥାନକୁ ନିୟମିତ ଝାଡ଼ୁ କରିବାକୁ କୁହାଯାଇଛି । ସେହିପରି ବସ୍ତି ଅଞ୍ଚଳରେ ‘ମୋ ଶୌଚାଳୟ’ ଓ ଅର୍ବାନ୍ ଓଡ଼ିଶାରେ ଘରୋଇ ଶୌଚାଳୟ ୧୦୦% ନିର୍ମାଣ ପାଇଁ କୁହାଯାଇଛି । ସମସ୍ତ ପୌର ସଂସ୍ଥା ମାନଙ୍କରେ ଆକାଂକ୍ଷୀ ଶୌଚାଳୟ ନିର୍ମାଣ ପାଇଁ କୁହାଗଲା । ମହାନଗର ନିଗମରେ ୧୦ଟି, ପୌର ସଂସ୍ଥାରେ ୪ଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨ଟି ଶୌଚାଳୟ ନିର୍ମାଣ ହେବ ।
ମୌସୁମୀ ଆଗମନ ପୂର୍ବରୁ ସମସ୍ତ ନଳାରୁ ପଙ୍କୋଦ୍ଧାର ପାଇଁ ପୌର ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ଦ୍ଵାରା ପରିକଳ୍ପିତ ତଥା ଜଟଣୀ ପୌର ସଂସ୍ଥାରେ ପରୀକ୍ଷିତ ଛୋଟ ନଳାରୁ ପଙ୍କୋଦ୍ଧାର ମଡେଲ ଅନୁସରଣ କରିବା ପାଇଁ ପରାମର୍ଶ ହୋଇଛି । ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ମାନଙ୍କର ନିୟମିତ ସମୀକ୍ଷା କରିବାକୁ ପୌର ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏମସିସି ଓ ଏମଆରଏଫ ମାନଙ୍କର ଆବଶ୍ୟକତା ଅନୁଯାୟୀ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ଵ ଦିଆଗଲା । ସମ୍ପଦ କେନ୍ଦ୍ର ମାନଙ୍କରେ ଯନ୍ତ୍ରପାତି କାର୍ଯ୍ୟକ୍ଷମ ରହିବା ଆବଶ୍ୟକ ବୋଲି କୁହାଯାଇଛି । ସାଇକେଲ ଓ ୟୁନିଫର୍ମ ପାଇନଥିବା ସମସ୍ତ ଗୋଷ୍ଠୀ ସହଭାଗୀଙ୍କୁ ତୁରନ୍ତ ଏସବୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମୌସୁମୀ ପୂର୍ବରୁ ବିଭିନ୍ନ ବିଭାଗକୁ ସେମାନଙ୍କ ଆବଶ୍ୟକତା ଜଣାଇବା ପାଇଁ ‘ମୋ ଖତ’ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ମୋ ଖତ ସ୍ଥିତି ଅନୁଧ୍ୟାନ ପାଇଁ ‘ଆମ ସାହା’ ଆପର ସହାୟତାରେ ଯଥାର୍ଥ ଓ ସଠିକ୍ ବିବରଣୀ ପ୍ରଦାନ କରାଯିବ । ସ୍ଵଚ୍ଛ ସର୍ବେକ୍ଷଣ ୨୦୨୩ରେ ଉତ୍ତମ ପ୍ରଦର୍ଶନ ସହ ଉତ୍ତମ ସ୍ଥାନ ହାସଲ ପାଇଁ ସମସ୍ତ ପୌର ସଂସ୍ଥା ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ଲାଷ୍ଟିକ ବର୍ଜନକୁ କଡ଼ାକଡ଼ି ଲାଗୁ କରିବାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନିୟମିତ ସହରରେ ତଦାରଖ କରିବେ । ‘ଗରିମା’ ପ୍ରକଳ୍ପ ଅଧୀନରେ ସମସ୍ତ ପ୍ରମୁଖ ପରିମଳ କର୍ମୀମାନଙ୍କୁ ପରିଚୟ ପତ୍ର ପ୍ରଦାନ ସହ ସେମାନଙ୍କ ପାଇଁ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ଭୁବେଶ୍ବର