ଭୁବନେଶ୍ବର: ଡରେଇଲାଣି ଓମିକ୍ରନର ନୂଆ ଭାରିଆଣ୍ଟ । ମୁଣ୍ଡ ଟେକିଲାଣି କୋରୋନା ମହାମାରୀର ଆଉ ଏକ ନୂଆ ଭାରିଆଣ୍ଟ । ଭାରତରୁ କୋରୋନା ହଟିଯାଇଛି ବୋଲି ଲୋକେ ଭାବୁଥିବା ବେଳେ ପୁଣି ଡରେଇଲାଣି ଆଉ ଏକ ନୂଆ ଭାରିଆଣ୍ଟ (New Variant of Covid-19) । ଭାରତ ସମେତ ପୁରା ବିଶ୍ବରେ ଏବେ ଓମିକ୍ରନର ଦୁଇ ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇଛି । ଏହି ନୂଆ ସବ ଭାରିଆଣ୍ଟ ଗୁଡିକ ହେଉଛନ୍ତି ବିଏ.୫.୧.୭ ଓ ବିଏଫ.୭ । ଏହା ବେଶ ସଂକ୍ରାମକ ବୋଲି କୁହାଯାଉଛି ।
ଏହି ୨ ନୂଆ ଭାରିଆଣ୍ଟ ପୁଣି ମୁଣ୍ଡ ଟେକିଥିବା ବେଳେ ସତର୍କ କରାଇଛି ସ୍ବାସ୍ଥ୍ୟ ବିଭାଗ । ପାର୍ବଣରେ କୋରୋନା କଟକଣା କୋହଳ କରାଯାଇଥିବା ବେଳେ ଲୋକେ ଏଥିପ୍ରତି ସତର୍କ ରହିବାକୁ କହିଛି ବିଭାଗ । ସୂଚନା ମୁତାବକ, ଓମିକ୍ରନର ନୂଆ ଭାରିଆଣ୍ଟ ବିଏଫ.୭ ପ୍ରଥମେ ଉତ୍ତର ପଶ୍ଚିମ ଚୀନର ମଙ୍ଗୋଲିଆର ଅଟୋନୋମସ ରିଜିଅନରେ ମିଳିଥିଲା । ଏହା ହିଁ ଚୀନରେ ବଢିଥିବା କୋରୋନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏବେ ଓମିକ୍ରନର ଏହି ନୂଆ ଭାରିଆଣ୍ଟ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ବେଲଜିୟମରେ ବ୍ୟାପିବାରେ ଲାଗିଛି ।
ଏହା ବି ପଢନ୍ତୁ- ଆଜି ୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଏହାକୁ ‘ଓମିକ୍ରନ୍ ସ୍ପନ’ ବୋଲି ମଧ୍ୟ କୁହାଯାଉଛି । ଭାରତରେ ମଧ୍ୟ ଏହାର ଏକ ମାମଲା ସାମ୍ନାକୁ ଆସିଛି । ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରେ ଏହି ଭାରିଆଣ୍ଟ ଟେଷ୍ଟ କରାଯାଇଛି । ତେଣୁ ପାର୍ବଣ ସମୟରେ ଲୋକଙ୍କୁ ସତର୍କ କରିବାକୁ ସ୍ବାସ୍ଥ୍ୟ ବିଭାଗ ସଚେତନ କରିଛି । ତେବେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଓମିକ୍ରନର ନୂଆ ନୂଆ ଭାରିଆଣ୍ଟ ଆସୁଛି । କିଛି ଦିନ ହେଲା ଅନେକ ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗୁଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ ।
ଏହି ଭାରିଆଣ୍ଟର ରୋଗକାରକ କ୍ଷମତା କେତେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ସତର୍କ ରହିବା ଆବଶ୍ୟକ । କେତେବେଳେ ବି ସଂକ୍ରମଣ ହେବାର ସମ୍ଭାବନା ରହିଛି" ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ରାଜ୍ୟରେ ବର୍ତ୍ତମାନ ସୁଧା ୧୩,୩୫,୭୫୧ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୧୩,୨୬,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ୯୨୦୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ୪୬୫ ଜଣ ଆକ୍ଟିଭ କେସ ରହିଛି । ତେବେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟରେ ରହିଛି କଟକ ଜିଲ୍ଲା ।
ଇଟିଭି ଭାରତ, ଭୁବନେଶ୍ବର