ଖୋର୍ଦ୍ଧା: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ ଜଟଣୀ ସହର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । ପାର୍ବଣ ଋତୁ ଆସିଲେ ପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରାଯାଏ । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା କରାଯାଉଥିବାବେଳେ ଜଟଣୀରେ କରାଯାଉଥିବା ପୂଜା ପ୍ରସିଦ୍ଧି ଲାଭ କରିଛି । କାହିଁ କେଉଁ ଆବାହମାନ କାଳରୁ ଜଟଣୀ ସହରରେ ଗଣେଶ ପୂଜା ବେଶ ଧୁମଧାମରେ ପାଳିତ ହେଉଛି । ଜଟଣୀରେ ରଙ୍ଗ ବେରଙ୍ଗରେ ବିଭିନ୍ନ ଡିଜାଇନର ମୂର୍ତ୍ତି ତିଆରିରେ ଲାଗି ପଡିଛନ୍ତି କାରିଗର । ଶିଳ୍ପୀମାନେ ବରାଦ ମୁତାବକ ମୂର୍ତ୍ତି ତିଆରି କରୁଛନ୍ତି । ଗଣେଶଙ୍କୁ ଯିଏ ଯେମିତି ଭଙ୍ଗୀରେ ଗଢ଼ିଲେ ସିଏ ଶୋଭା ବର୍ଦ୍ଧନ କରନ୍ତି । ଚଳିତ ବର୍ଷ ସାପ ଗଣେଶ, ପାହାଡ ଗଣେଶ, କାର୍ଟୁନ୍ ଗଣେଶ, ଗଛ ଗଣେଶ,ବାଘ ଗଣେଶ, ସପ୍ତଫେଣୀ ଗଣେଶ, ଏମିତି କେତେ ରକମର ମୂର୍ତ୍ତି ଜଟଣୀରେ ତିଆରି ଚାଲିଛି । ଏନେଇ ଭଲ ବ୍ୟବସାୟ ପାଇଁ ଆଶାବାଦୀ ରହିଥିବା ମୂର୍ତ୍ତି କାରିଗରମାନେ କହିଛନ୍ତି, "ଚଳିତ ବର୍ଷ ଗଣେଶଙ୍କର ଉଚ୍ଚ ଉଚ୍ଚ ମୂର୍ତ୍ତି ପାଇଁ ବିଭିନ୍ନ ମଣ୍ଡପ ପକ୍ଷରୁ ବରାଦ ମିଳିଛି।"
ଓଡ଼ିଶାର ଅନ୍ୟ ସ୍ଥାନ ଅପେକ୍ଷା ଜଟଣୀରେ ଗଣେଶ ପୂଜା ବହୁ ଧୁମଧାମରେ ପାଳନ କରାଯାଏ । ଗଣେଶ ଚତୁର୍ଥୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିଥାଏ । ଜଟଣୀ ସହର ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଲେ ଗଣପତି ବାବାଙ୍କୁ ପୂଜା କଲେ ଭଲ ବ୍ୟବସାୟ ହୁଏ ବୋଲି ବିଶ୍ବାସ ରହିଛି । ବିଘ୍ନ ବିନାଶକଙ୍କୁ ପୂଜା କଲେ ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତ ହୁଏ। ଏମିତି ଅନେକ ବିଶ୍ୱାସକୁ ଆଧାର କରି ଜଟଣୀର ବିଭିନ୍ନ ସ୍ଥାନରେ ବଡ ବଡ ଗଣେଶ ମେଢ଼ ପୂଜା ହୁଏ । ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, "୨୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଗଣେଶ ପୂଜା ଚାଲେ । ଚଳିତ ଥର ଖୁବ ଜାକଜମକରେ ପୂଜା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏହା ବି ପଢନ୍ତୁ...Watch: ଆସୁଛନ୍ତି ବିଘ୍ନରାଜ, ହାଇଦ୍ରାବାଦରେ ମନ ମୋହୁଛି ବିଭିନ୍ନ ମୁଦ୍ରାର ଗଣେଶ ମୂର୍ତ୍ତି
ଜଟଣୀରେ ପ୍ରଥମେ ମହୁଲ ଗୁଡ଼ିଆ ଛକରେ ଗଣେଶ ପୂଜା ଆରମ୍ଭ ହୋଇଥିଲା । ସେଥିପାଇଁ ଏହି ସ୍ଥାନର ଗଣେଶଙ୍କୁ ବୁଢ଼ା ଗଣେଶ କୁହାଯାଏ । ରାଜା ବଜାର, ହାଟ, କୁଦିଆରି, ସୀତାରାମ ଛକ, ହରିଭାଇନା ଛକ, ଲୋକ କଲୋନୀ, ରେତଙ୍ଗ କଲୋନୀ, ମାଲ ଗୋଦାମ ଛକ ଭଳି ପ୍ରାୟ ୪୦ରୁ ୫୦ ସ୍ଥାନରେ ଚଳିତ ବର୍ଷ ପେଣ୍ଡାଲ ପ୍ରସ୍ତୁତି ଚାଲିଛି । ସହର ସାରା ଲାଇଟ୍ ଗେଟ ସହ ସୁଉଚ୍ଚ ତୋରଣ ବନ୍ଧା କାମ ମଧ୍ୟ ହେଉଛି । ସମସ୍ତ କମିଟିର କର୍ମକର୍ତ୍ତା ମାନେ ଆଗଭର ରହିଛନ୍ତି। ବିଭିନ୍ନ ପ୍ରକାର, ନୃତ୍ୟ, ସଙ୍ଗୀତ, ମେଲୋଡି, ଯାତ୍ରାରେ ସାରା ସହର ସମେତ ଆଖପାଖ ଅଞ୍ଚଳ କମ୍ପୁଥାଏ । ଚଳିତ ବର୍ଷର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଇଟିଭି ଭାରତ, ଖୋର୍ଦ୍ଧା