ଭୁବନେଶ୍ବର: ଛାତ୍ର ବୃତ୍ତି ଆଳରେ ଠକେଇ । ଅଭିଭାବକଙ୍କୁ ଚୁନା ଲଗାଇଛି ଏକ ଠକ ସଂସ୍ଥା । ଠକେଇ ଅଭିଯୋଗରେ 'ଭାସ୍ତବ ଇଣ୍ଡିଆ ଟ୍ରଷ୍ଟ'ର 2 ଠକଙ୍କୁ ଗିରଫ କରିଛି EOW ଟିମ୍ । ଝାଡ଼ଖଣ୍ଡ ରାଞ୍ଚିରୁ ନିଶାନ୍ତ ପ୍ରକାଶ ଜୈଶ୍ବାଲ ଓ ଅମର ଦାନିଷ ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ ପରେ ଟ୍ରାନଜିଟ୍ ରିମାଣ୍ଡରେ ଆଣି କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି EOW ଏସପି । ଗିରଫ ଅଭିଯୁକ୍ତମାନେ ହେଲେ 'ଭାସ୍ତବ ଇଣ୍ଡିଆ ଟ୍ରଷ୍ଟ'ର ଫିଲ୍ଡ ଅଫିସର ଏବଂ ପ୍ରୋଜେକ୍ଟ ଇନଚାର୍ଜ । ସେମାନେ ୨୦୨୨ ମସିହାରେ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଏହି ସଂସ୍ଥା ନାମରେ ଏକ ଅଫିସ ଖୋଲି ଠକେଇର ଜାଲ ବିଛାଇଥିଲେ।
ସୂଚନା ଅନୁସାରେ, ସେମାନେ ଓଡ଼ିଶାର ୧୧ଟି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍କିମର ଲୋଭ ଦେଖାଇ ୧ହଜାର ୬୫୦ଟଙ୍କା ଆଦାୟ କରିଥିଲେ । ଷ୍ଟୁଡେଣ୍ଟ ସ୍କିମରେ ଅଧିକ ଦାମର ଏଲଇଡି ଲାଇଟ୍ ଦେବା ଆଳରେ ଠକିଥିଲେ କୋଟି କୋଟି ଟଙ୍କା । ସେହିପରି ଅନେକ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ମଧ୍ୟ ୨୪ମାସ ଯାଏଁ ୧୦୦୦ଟଙ୍କାର ଷ୍ଟାଇପେଣ୍ଡ ସ୍କଲାରସିପ୍ ସ୍କିମ ଥିବା ଦର୍ଶାଇ ଜଣଙ୍କ ପିଛା ୩ ହଜାର ଟଙ୍କା ଲେଖାଏଁ ନେଇ ଆଉ ଧରାଛୁଆଁ ଦେଇନଥିଲେ। ଏଭଳି ଉପାୟରେ ଓଡ଼ିଶା, ଦିଲ୍ଲୀ ,ବିହାର ଝାଡଖଣ୍ଡରୁ ୩୫ହଜାର ଲୋକଙ୍କଠାରୁ ପ୍ରାୟ ୪କୋଟି ଟଙ୍କା ସେମାନେ ଠକେଇ କରିଥିବା ଜଣାପଡିଛି। ଏନେଇ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ EOW ଟିମ୍। ତଦନ୍ତ ବେଳେ ଜଣାପଡିଥିଲା ଏହା ଏକ ଠକ ସଂସ୍ଥା। କେନ୍ଦ୍ର ସରକାରଙ୍କ MSME ମନ୍ତ୍ରାଳୟର ଲୋଗୋ ଦର୍ଶାଇ ଏହି ସଂସ୍ଥାର କର୍ମଚାରୀମାନେ ନିଜ କମ୍ପାନୀର ସ୍କିମ୍ ପ୍ରମୋସନ କରୁଥିଲେ ।
ଏହା ବି ପଢନ୍ତୁ...ଚାକିରି ନାଁରେ ଚୂନ ଲଗାଇଲେ ଲକ୍ଷ ଲକ୍ଷ ଟଙ୍କା, 6 ଗିରଫ
'ଛୁ ଲୋ ଆସମାନ' ନାମକ ଏକ ସ୍କିମ୍ ଜରିଆରେ ମଧ୍ୟ ଅଭିଭାବକଙ୍କୁ ଠକେଇ କରି ନେଇଥିଲେ । EOW ଏସପି ଦିଲ୍ଲୀପ କୁମାର ତ୍ରିପାଠୀ କହିଛନ୍ତି, "ଏହି ଠକେଇ ମାମଲାରେ ପୂର୍ବରୁ ଏହି ଟ୍ରଷ୍ଟର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ଗିରଫ ହୋଇସାରିଥିଲେ। ହେଲେ ଏହାର ଫିଲ୍ଡ ଅଫିସର ଓ ଫିଲ୍ଡ ଇନଚାର୍ଜ ଦୀର୍ଘ ଦିନ ଧରି ଫେରାର ଥିଲେ। ଏହି ଟଙ୍କା କାରବାର ନେଟୱର୍କ ଖୋଜୁ ଖୋଜୁ ଏହି ୨ ଠକ ଅନେକ କେଳେଙ୍କାରୀ କରିଥିବା ଜାଣିବାକୁ ପାଇଥିଲା ପୋଲିସ। ସେମାନେ ରାଞ୍ଚିରେ ଲୁଚିଥିବାବେଳେ ୨ ଜଣଙ୍କୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏହାପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।" ତେବେ କିଛି ଫର୍ଜି ମନି ରିସିପ୍ଟ, ବ୍ଲାଙ୍କ ଚେକ୍ ଓ ୬ଟି ଏଟିଏମ କାର୍ଡ ମଧ୍ୟ ଜବତ କରାଯାଇଛି। ସୁନ୍ଦରଗଡ, ଭଦ୍ରକ, ବାଲେଶ୍ବର, ନବରଙ୍ଗପୁର, କନ୍ଧମାଳ,ନୟାଗଡ, ମୟୁରଭଞ୍ଜ, ବଲାଙ୍ଗୀର ଓ ପୁରୀ ଆଦି ଜିଲ୍ଲାରୁ ଏମାନେ ଠକେଇ କରିଥିବା ଜଣାପଡିଛି ।
ଇଟିଭି ଭାରତ, ଭୁବନେଶ୍ବର