ଭୁବନେଶ୍ବର: ଆଠଗଡ଼ ବନ ବିଭାଗ ହେପାଜତରେ ଧନେଶ୍ବର ବେହେରା ମୃତ୍ୟୁ ଘଟଣା । ନିଲମ୍ବନ ହେବେ ଗିରଫ ୬ ବନ କର୍ମଚାରୀ । ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଲମ୍ବନ କରାଯିବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ । ରେଞ୍ଜରଙ୍କୁ ଛାଡି ଅନ୍ୟ ୬ ଅଭିଯୁକ୍ତ ବନ କର୍ମଚାରୀଙ୍କୁ ନିଲମ୍ବନ କରିବେ ଡିଏଫଓ । ରେଞ୍ଜରଙ୍କ ନିଲମ୍ବନ ପାଇଁ ଡିଏଫଓ ବନ ବିଭାଗ ମୁଖ୍ୟାଳୟକୁ ସୁପାରିଶ କରିବେ ।
ହାତୀଦାନ୍ତ ରାକେଟ ମାମଲାରେ ଅଟକ ଥିବା ବେଳେ ମୃତ୍ୟୁ ହୋଇଥିବା ଧନେଶ୍ୱରଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି । ତଦନ୍ତ ଚାଲିଥିବା ମାମଲାରେ ତାହାର ସମ୍ପୃକ୍ତି ଥିଲା ନା ନାହିଁ ଅନ୍ୟ ଅଧିକାରୀ ତଦନ୍ତ କରିବେ । ତେବେ ନିଲମ୍ବନ ହେବାକୁ ଥିବା ବନ କର୍ମଚାରୀ ହେଉଛନ୍ତି ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାଏକ ମାଝି, କୁନା ବେହେରା ଏବଂ ପ୍ରଭାତ ପ୍ରଧାନ ।
ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ବନ ବିଭାଗ ୫ ତାରିଖ ରାତିରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ବର ବେହେରାଙ୍କୁ ଉଠାଇ ଆଣି ଅଟକ ରଖିଥିଲା । ହାତୀକୁ ମାରିଥିବା ସନ୍ଦେହରେ ତାଙ୍କୁ ପଚରାଉଚରା କରାଯାଇଥିଲା । ରେଞ୍ଜରଙ୍କ ହେପାଜତରେ ଥିବାବେଳେ ଅଭିଯୁକ୍ତ ଧନେଶ୍ବରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାପରେ ଆଠଗଡ଼ ଥାନା ପୋଲିସ ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଇଥିବା ଜଣାଯାଇଛି ।
ଏହାମଧ୍ୟ ପଢନ୍ତୁ: ବଡ଼ମ୍ବା ଧନେଶ୍ୱର ମୃତ୍ୟ ଘଟଣା, 6 ବନ କର୍ମଚାରୀ ଗିରଫ
କିଭଳି ପରିସ୍ଥିତିରେ ଧନେଶ୍ବରଙ୍କ ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରଖିଛି ଆଠଗଡ଼ ଥାନା ପୋଲିସ । ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଜାରି ରହିଛି । ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଦନ୍ତା ଶିକାରକୁ ନେଇ ବଡ଼ମ୍ବା, ନରସିଂହପୁର ତଥା ଆଠଗଡ଼ ବନଖଣ୍ତ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଛୋଟ ଦନ୍ତାହାତୀ ଶିକାର ଘଟଣା ବିଭାଗ ପାଇଁ ସମସ୍ୟା ବଢାଇଛି ।
ଇଟିଭି ଭାରତ, ଭୁବନେଶ୍ବର