ଭୁବନେଶ୍ବର: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟିକ ପ୍ରତିଷ୍ଠାନରୁ ବିପୁଳ ଅର୍ଥ ଜବତ ହେବା ପରେ ଏହାକୁ ରାଜନୈତିକ ବୟାନବାଜି ଜାରି ରହିଛି । ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି କଂଗ୍ରେସକୁ ଟାର୍ଗେଟ କରି ବୟାନ ଦେଉଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ବିଜେପି ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଥିବା ବିଜେଡି କଟାକ୍ଷ କରିଥିବା ବେଳେ ଏହାର ଜବାବ ଦେଇଛି କଂଗ୍ରେସ । ବିଜେଡ଼ି ଦଳ ତରଫରୁ କଂଗ୍ରେସ ଦଳ ପ୍ରତି କରାଯାଇଥିବା ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜୀନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।
''ଦୀର୍ଘଦିନ ଧରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ସମସ୍ତ କଂଗ୍ରେସ ନେତୃବର୍ଗ ବିଜେଡ଼ି ଓ ବିଜେପି ଏକ ଓ ଅଭିନ୍ନ ବୋଲି କହିଆସୁଛନ୍ତି । ଏହାର ପ୍ରମାଣ ବିଭିନ୍ନ ସମୟରେ ଦିଆଯାଇଛି । “ଯାଦୁଆ ବିକ୍ରି କରୁଛି ଯାଦୁ ମଲମ” ଉକ୍ତିଟି ବିଜେଡ଼ି ଦଳ ପାଇଁ ପ୍ରଯୁଜ୍ୟ । ୧୯୯୭ ମସିହାରୁ ବିଜେଡ଼ି ଏନଡ଼ିଏର ଏକ ଅଂଶବିଶେଷ ହୋଇ ରହିଲେ । ୨୦୦୪ ରୁ ୨୦୦୯ ମସିହା ମିଳିତ ସରକାରରେ ରହିଲେ । ରାଜ୍ୟରେ ଉଭୟ ନିର୍ବାଚନ ଅଲଗା ଅଲଗା ହୋଇ ଲଢ଼ୁଥିଲେ ମଧ୍ୟ ଉଭୟ ଦଳର ନୀତି ଓ ନିଷ୍ପତି ଏକ । ବିଜେଡ଼ି ବିଜେପିର ସମସ୍ତ ନୀତି ଓ ନିଷ୍ପତିକୁ ବିନା ଦ୍ୱିଗ୍ଧାରେ ପାଳନ କରିଆସୁଛି । ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ପାର୍ଲ୍ୟାମେଣ୍ଟରେ ଯେତେ ସବୁ ବିଲ୍ ପାରିତ ହୋଇଛି ଏପରିକି କୃଷି ଆଇନ୍, ଶ୍ରମିକ ଆଇନରେ ପରିବର୍ତ୍ତନ, ଜମୀ ଅଧିଗ୍ରହଣ, ବିମୁଦ୍ରୀକରଣ ବିଲ୍କୁ ଅନ୍ଧ ଭାବରେ ବିଜେପିକୁ ବିଜେଡ଼ି ସମର୍ଥନ ଦେଇଛି । ଏପରିକି ରାଜ୍ୟ ସ୍ୱାର୍ଥର ପରିପନ୍ଥି ଆଇନ୍କୁ ସମର୍ଥନ କରିବାରେ ପଛଘୁଞ୍ଚା ଦେଇନାହାନ୍ତି ।''
ଏହା ମଧ୍ୟ ପଢନ୍ତୁ-ଆଇଟି ରେଡ୍ ନେଇ ବିଜେଡିର ବୟାନ; ଚର୍ଚ୍ଚାରେ ରହିବାକୁ ଗପ କହୁଛନ୍ତି ବିଜେପି ନେତା
ପ୍ରେସ୍ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଅଶ୍ୱୀନି ବୈଷ୍ଣବ ବିଜେପି ଦଳର ବର୍ତ୍ତମାନ ସାଂସଦ । ସେ କିପରି କାହା ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ? ସବୁ ପ୍ରୀତି ଖୋଲାଖୋଲି ତଥାପି କଂଗ୍ରେସ ଉପରେ ଅଭିଯୋଗ । ନିକଟ ଅତୀତରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଭି.କେ ପାଣ୍ଡିଆନ କବାଟକିଳା ଆଲୋଚନା କାହା ସ୍ୱାର୍ଥ ପାଇଁ କରୁଥିଲେ । ଯାହାକି ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଭି.କେ ପାଣ୍ଡିଆନ ପୂର୍ବତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସମସ୍ତ ନୀତି ନିୟମକୁ ପ୍ରତିଦିନ ଉଲ୍ଲଂଘନ କରିବା ସହିତ ନିର୍ଦ୍ଦିଷ୍ଟ ଏକ ଦଳ ପାଇଁ କାର୍ଯ୍ୟ କରୁଥିବାର ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ତାଙ୍କ ବିରୁଦ୍ଧରେ କେନ୍ଦ୍ର ବିଜେପି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ବରଂ ସ୍ୱେଚ୍ଛାକୃତ ଅବସର ପାଇଁ ନିବେଦନର ୨ ଦିନ ମଧ୍ୟରେ ତାକୁ ଗ୍ରହଣ କରିବା ଏବଂ ଏପରିକି ସରକାରୀ ଛୁଟି ଦିନରେ ଫାଇଲ୍କୁ ଆଗକୁ ନେବା ପାଇଁ କିଏ କାହାକୁ ସାହାଯ୍ୟ କରୁଥିଲା । ଏହା କ’ଣ ଓଡ଼ିଶାର ପ୍ରଗତି ପାଇଁ କି ବୋଲି କଟାକ୍ଷ କରି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ।
ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଓ ଚିଟ୍ଫଣ୍ଡ ଦୁର୍ନୀତି ସିବିଆଇ ତଦନ୍ତ ରାଜ୍ୟରେ କାହିଁକି ଓ କାହା ଇଙ୍ଗିତିରେ ଶୀଥିଳ ପଡ଼ିଛି । ଏଥିରେ କିଏ କାହାକୁ ସାହାଯ୍ୟ କରୁଛି ରାଜ୍ୟବାସୀଙ୍କୁ ସବୁ ଜଣା । ଚକାଆଖି ସବୁ ଦେଖୁଛି । ଏଥିରୁ ଜଣାପଡ଼ୁଛି କିଏ କାହାକୁ ସାହାଯ୍ୟ କରୁଛି । ତେଣୁ ବିଜେଡ଼ି ପକ୍ଷରୁ ଏଭଳି ହାଲୁକା ମନ୍ତବ୍ୟ ଦେଇ ଲୋକହସା ହେବା ଅପେକ୍ଷା ସତକୁ ପରଖି ନେବା ଉଚିତ୍ ଓ ନିଜକୁ ଦେଖିନେବା ଉଚିତ୍ ବୋଲି କଂଗ୍ରେସ କହିଛି ।
ଇଟିଭି ଭାରତ, ଭୁବନେଶ୍ବର