ଭୁବନେଶ୍ବର: ବିଏମସି ଷ୍ଟାଣ୍ଡିଙ୍ଗ କମିଟି ନିର୍ବାଚନ ଶେଷ ହୋଇଛି । ସେଇ ପୁରୁଣା ଚେହେରା ଅପରିବର୍ତ୍ତିତ ରହିଲେ ସମସ୍ତ କମିଟି ଅଧ୍ୟକ୍ଷ । ବିଏମସି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପଦର ନିର୍ବାଚନରେ ପୁଣି ପୂର୍ବ ନାମ ବଜାୟ ରହିଛି । ନିର୍ଦ୍ବନ୍ଦରେ ସମସ୍ତ ପ୍ରାର୍ଥୀ ଜିତିଛନ୍ତି । ପୁରୁଣା ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଅର୍ଥାତ ପୁଣି ଥରେ ସେହିପରି ପୁରୁଣା ମୁହଁ ହିଁ ଦେଖିବାକୁ ମିଳିବ । ଫଳରେ ବିଏମସି ନିର୍ବାଚନ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ନିର୍ବାଚନ ନେଇ ଲାଗି ରହିଥିବା ଛକାପଞ୍ଝା ଦୂର ହୋଇଛି ।
ବୁଧବାର ବିଏମସି କାର୍ଯ୍ୟାଳୟ ଏକାମ୍ର ହଲରେ ବିଏମସିର ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତିନିତିନି ଥର ତାରିଖ ଘୋଷଣା ହୋଇ ନିର୍ବାଚନ ବାତିଲ ହୋଇଥିବା ବେଳେ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପାଇଁ ପ୍ରତି ବିଭାଗରୁ ଏଥର ମାତ୍ର ଜଣେ ଲେଖାଏଁ ନାମାଙ୍କନ କରିଥିଲେ । ବିରୋଧୀଙ୍କୁ ବୁଝାଯାଇଥିବା ବେଳେ ଆଉ କେହି ନାମାଙ୍କନ ଭରି ନଥିଲେ। ବିଜେଡିର ସେହି ପୁରୁଣା ମୁହଁ ଅର୍ଥାତ ଶାସକ ଦଳର କର୍ପୋରେଟରମାନେ ହିଁ ପୁଣି ଥରେ ନିର୍ବାଚିତ ହୋଇଛନ୍ତି ।
ସୂଚନାଥାଉକି ବିଏମସି ସାଧାରଣ ନିର୍ବାଚନରେ ୬୭ଟି ଆସନ ମଧ୍ୟରୁ ୪୮ଟି ବିଜେଡି ଖାତାକୁ ଯାଇଥିଲା । ବିଜେପି ୧୦ ଓ ସ୍ବାଧୀନ ୯ରେ ଆସନରେ ଜିତିଥିଲେ । ଏମାନଙ୍କ ମଧ୍ୟରୁ ୭ ସ୍ବାଧୀନ କରର୍ପୋରେଟର ବିଜେଡିରେ ମିଶି ଥିବାରୁ ବିଏମସିରେ ବିଜେଡିରେ ବଳ ବଢିଛି । ତେଣୁ ତାଙ୍କର ପତିଆରାକୁ ଜାହିର କରିବା ପାଇଁ ବିରୋଧୀ ଓ ସ୍ୱାଧୀନ କର୍ପୋରେଟଙ୍କୁ ବୁଝାଯାଇଛି । କାରଣ ଶାସକ ଦଳ ଛଡ଼ା ଅନ୍ୟମାନଙ୍କୁ ଏହି ନିର୍ବାଚନରେ ସୁଯୋଗ ମିଳୁନଥିବା ବା ସଂଖ୍ୟା ଗରିଷ୍ଠତା ନ ରହିବାକୁ ନେଇ ପୁର୍ବରୁ ଅଧ୍ୟକ୍ଷ ପଦବୀ ପାଇଁ ଟଣାଓଟରା ଲାଗି ରହିଥିଲା । ନିର୍ବାଚନ ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଭୁବେନେଶ୍ବର ବିକାଶ ପାଇଁ ଏକତ୍ରିତ ଭାବେ କାମ କରିବାକୁ ବୋଲି କହିଛନ୍ତି ପୁର୍ନ ନିର୍ବାଚିତ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ।
ଷ୍ଟାଣ୍ଡିଂ କମିଟିରେ ଟିକସ, ଫାଇନାନ୍ସ ଆଣ୍ଡ୍ ଆକାଉଣ୍ଟସରେ ପ୍ରୀତିନନ୍ଦା ରାଉତରାୟ, ଶିକ୍ଷା ଓ ଚିତ ବିନୋଦନ ଓ ସଂସ୍କୃତିରେ ମିହିର ରାଉତ, ଜନ ସ୍ୱାସ୍ଥ୍ୟ ବିଦ୍ୟୁତ ପାନୀୟ ଜଳ ଡ୍ରେନେଜ ଓ ପରିବେଶ ବିଭାଗ ପାଇନ ବିରଞ୍ଚି ନାରାୟଣ ମହାସୂପକାର, ପବ୍ଲିକ ୱାର୍କ୍ସରେ ଅମରେଶ ଜେନା, ପ୍ଲାନିଂ ଆଣ୍ଡ ଡେଭେଲପମେଣ୍ଟରେ ଶ୍ରୀଧର ଜେନା, ଶିକ୍ଷା, ରିକ୍ରିଏସନରେ ମିହିର ରାଉତ, ଲାଇସେନ୍ସ ଆଣ୍ଡ ଅପିଲସରେ ପ୍ରେମାନନ୍ଦ ଜେନା, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟରେ କୁମାରେନ୍ଦ୍ର ମହାପାତ୍ର, ଅଭିଯୋଗ ଓ ସାମାଜିକ ନ୍ୟାୟରେ ବିଜୟିନୀ ଜେନା, ସ୍ଲମ ସେଟଲମେଣ୍ଟ ଅତିରିକ୍ତ ଷ୍ଟାଣ୍ଡିଂ କମିଟିରେ ମହାମାୟା ସ୍ୱାଇଁ ରହିଥିବା ବେଳେ କଣ୍ଟ୍ରାକ୍ଟ ଅଧ୍ୟକ୍ଷ ପଦ ମେୟର ସୁଲୋଚନା ଦାସ ନିଜ ହାତରେ ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର