ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 5 ତାରିଖରେ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ । ବିଜୁ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସାଇକେଲ ରାଲିର ଆୟୋଜନ କରିବ ଦଳ । ଏହା ସହିତ ‘ନବୀନ ଓଡ଼ିଶା’ ଗଠନ ପାଇଁ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛାମୁଆ ସଂଗଠନକୁ ସକ୍ରିୟ ରଖିବାକୁ ପଦକ୍ଷେପ ନେଉଛି ବିଜେଡି । ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନିଷ୍ପତ୍ତି ନେଇଛି ଦଳ । ବିଜୁ ଜୟନ୍ତୀରେ ପ୍ରତି ନିର୍ବାଚନମଣ୍ଡଳୀରେ ସାଇକେଲ ରାଲି ଓ ସମୂହ ଦଳୀୟ ସଭା ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସବୁ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶର ଆୟୋଜନ ହେବ । ଆଉ ପ୍ରଥମଥର ପାଇଁ ବିଜେଡି କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହେବ ।
ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ‘ନବୀନ ଓଡ଼ିଶା’ ଗଠନ ଶୀର୍ଷକ ଏସବୁ ପ୍ରତିଯୋଗିତା କରିବ ଦଳ । ଏଥିପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଜୁଙ୍କ 107 ତମ ଜନ୍ମ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ନବୀନ ଦଳରର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖି ନିର୍ବାଚନମଣ୍ଡଳୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ସହଯୋଗ କରିବାକୁ କହିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ନୂଆ ରୂପରେ ଡାକୋଟାକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସଜେଇ ହେଉଛି ଡାକୋଟା ।
ମାର୍ଚ୍ଚ 5 ସକାଳ 6 ଟାରେ ପ୍ରଭାତ ଫେରୀ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଫଳ ବଣ୍ଟନ ଓ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟ ହେବ । ସକାଳ ସାଢ଼େ 8 ରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଅତିକମରେ 200 କର୍ମୀଙ୍କୁ ନେଇ 5 କିମି ପରିବ୍ୟାପ୍ତ ସାଇକେଲ ରାଲି ଅନୁଷ୍ଠିତ ହେବ । ଅପରାହ୍ନରେ ନିର୍ବାଚିତ ସଦସ୍ୟ, କର୍ମକର୍ତ୍ତା, କର୍ମୀ, ଛାମୁଆ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ପୌରପାଳିକା ଓ ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ସାଧାରଣ ସଭା ହେବ । ସେଠାରେ ସମସ୍ତ ବିଜେଡି କର୍ମୀମାନେ ବିଜୁ ଜନତା ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା, ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ‘ନବୀନ ଓଡ଼ିଶା’ ଗଢ଼ିବା ନିମନ୍ତେ ଶପଥ ନେବେ ।
ଏହି ସଭାରେ ବିଜୁ ଆଦର୍ଶରେ ଅନୁପ୍ରାଣିତ ବର୍ଷିୟାନ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ସେହିପରି ମାର୍ଚ୍ଚ 8 ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ରାଜ୍ୟସ୍ତରରେ ପାଳନ ହେବ । ମାର୍ଚ୍ଚ 9 ରୁ 17 ତାରିଖ ମଧ୍ୟରେ ସବୁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯାଇ ମହିଳାଙ୍କ ସଶକ୍ତିକରଣ ଦିଗରେ ବିଜେଡି ନେଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ଏହା ବ୍ୟତୀତ ମାର୍ଚ୍ଚ 5 ରୁ 25 ତାରିଖ ମଧ୍ୟରେ ନିର୍ବାଚନମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ‘ନବୀନ ଓଡ଼ିଶା’ ଗଠନ ଉପରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଜେଡି କର୍ମୀ ଓ କର୍ମକର୍ତ୍ତମାନଙ୍କ ମଧ୍ୟରେ ଆୟୋଜନ ହେବ । ଯୁବ ଓ ଛାତ୍ର ବିଜେଡି ଏହି ପ୍ରତିଯୋଗିତା ଆୟୋଜନ କରିବ । ଏପ୍ରିଲ 17 ତାରିଖରେ ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର