ଭୁବନେଶ୍ବର: ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଘନୋଉଛି ଶ୍ରେୟ ରାଜନୀତି । ନିକଟରେ ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ବିମାନ ସେବାର ଶ୍ରେୟ ନେବା ପାଇଁ ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ଏବେ ସ୍ବୟଂ ସହାୟକ ଗୋଷ୍ଠିଙ୍କ ସୁଧ ରିହାତି ପ୍ରସଙ୍ଗରେ ଘନେଇଲା ଶ୍ରେୟ ରାଜନୀତି । ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର ମୋଦି ସରକାରଙ୍କର ବୋଲି କହିଛି ବିଜେପି । ସେପଟେ ବିଜେଡି ଏହାର ଜବାବ ରଖିଛି । ଯେଉଁମାନେ କାମ କରିପାରନ୍ତି ନାହିଁ, ସେମାନେ ଅଭିଯୋଗ ଆଣନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ମୁଖ୍ୟମନ୍ତ୍ରୀଙ୍କ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ- ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଲୋକସେବା ଭବନ କନଭେନସନ୍ ସେଣ୍ଟର (Lok Seva Bhawan Convention Centre )ରୁ ମିଶନ ଶକ୍ତି (Mission Shakti self help group) ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ସେପ୍ଟେମ୍ବର ମଧ୍ୟରେ ମହିଳାମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ମଧ୍ୟ ଦେଇଥିଲେ ।
'ସୁଧ ରିହାତି ପଛରେ ଶ୍ରେୟ ମୋଦି ସରକାରଙ୍କର'- ତେବେ ଏହି ସୁଧ ରିହାତି ପ୍ରସଙ୍ଗରେ ଶ୍ରେୟ ନେବା ପାଇଁ ରାଜନୀତି ଜୋର ଧରିଛି । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସୁଧ ରିହାତି ପଛରେ କାହାର ହାତ ରହିଛି । ଏହାର ଶ୍ରେୟ କିଏ ନେବା ଉଚିତ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର ମୋଦି ସରକାରଙ୍କର ବୋଲି କହିଛି ବିଜେପି । ରାଜ୍ୟ ସରକାରଙ୍କ ମିଛ ବାଃ ବାଃର ପୋଲ ଖେଲିବା ପାଇଁ ଓ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଗାଁ ଗାଁରେ ସଭା କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
'୧୨୫ କୋଟିରୁ ୮୮ କୋଟି କେନ୍ଦ୍ରର'- ସାମବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, "ମୋଟ ସୁଧ ରାଶିର ୭% ହେଉଛି କେନ୍ଦ୍ର ସରକାରଙ୍କର, ୪% ହେଉଛି ରାଜ୍ୟ ସରକାରଙ୍କର । ଗତକାଲି ରାଜ୍ୟ ସରକାର ୧୨୫ କୋଟି ଋଣ ବାଣ୍ଟିଲେ ଏବଂ କହିଲେ ନବୀନ ସରକାର ଏହାକୁ ଦେଉଛନ୍ତି । ହେଲେ ୧୨୫ କୋଟିରୁ କେନ୍ଦ୍ର ସରକାର ଛାଡ଼ କରିଛନ୍ତି ୮୮ କୋଟି ଟଙ୍କା । ମାତ୍ର ୩୭ କୋଟି ଛାଡ଼ କରିଛି ବିଜେଡି । ରାଜ୍ୟ ସରକାର କହୁଛନ୍ତି ୭ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ କରି ୭୦ ଲକ୍ଷ ମହିଳାଙ୍କୁ ସ୍ଵାବଲମ୍ବୀ କରିଛନ୍ତି । କିନ୍ତୁ ବିଭାଗର ବାର୍ଷିକ ରିପୋର୍ଟ ଅନୁସାରେ, ୭ ଲକ୍ଷ ନୁହେଁ ମାତ୍ର ୮୫ ହଜାର ଏସଏଚଜି କାମରେ ନିୟୋଜିତ । ଏମାନଙ୍କ ମଧ୍ୟରୁ ୫୯ ହଜାର ୪୯୪ ଏସଏଚଜି ରୋଜଗାରକ୍ଷମ । ଅର୍ଥାତ ଏଠି ବି ରାଜ୍ୟ ସରକାର ବିନା ସୁଧରେ ଏସଏଚଜିମାନଙ୍କୁ ଋଣ ଦେଉଛନ୍ତି ବୋଲି କହି ମିଛ ବାଃ ବାଃ ନେବାକୁ ଉଦ୍ୟମ କରିଛନ୍ତି ।" ଏହି ହିସାବକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପ୍ରତି ଗାଁକୁ ଯାଇ ମହିଳାମାନଙ୍କୁ ସଚେତନ କରାଇବ ବୋଲି କହିଛନ୍ତି ମହିଳା ମୋର୍ଚ୍ଚା ସଭାନେତ୍ରୀ ।
ଦେଶରେ ସ୍ବୟଂ ସହାୟକ ଗୋଷ୍ଠିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କହିବାକୁ ଯାଇ ସେ କହିଛନ୍ତି, "ମୋଦି ସରକାରଙ୍କ ଦୀନ ଦୟାଲ ଅନ୍ତୋଦୟ ଯୋଜନାରେ ରହିଛି ଜାତୀୟ ଗ୍ରାମୀଣ ଜୀବିକା ମିଶନ । ଏହି ମିଶନରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ନାବାର୍ଡ ମାଧ୍ୟମରେ ଋଣ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଦେଶର ୭୧୧ଟି ଜିଲ୍ଲା, ୬ ହଜାର ୮୬୧ଟି ବ୍ଲକରେ ୩୩ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି ଆର୍ଥିକ ଲାଭ ପାଉଛନ୍ତି । ପୁରା ଦେଶରେ ମୋଟ ୩ ଲକ୍ଷ ୮୪ ହଜାର ମହିଳା ଗୋଷ୍ଠୀ ସମ୍ବଳ ବ୍ୟକ୍ତି ବା ସିଆରପି ଭାବେ କାମ କରନ୍ତି । ସେମାନଙ୍କୁ ଦରମା କେନ୍ଦ୍ର ସରକାର ଦିଅନ୍ତି ।"
ବିଜେପିକୁ ବିଜେଡିର ଜବାବ- ସେପଟେ ଶ୍ରେୟ ରୀଜନୀତି ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଉପରେ ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, "ଯେଉଁମାନେ କାମ କରିପାରନ୍ତି ନାହିଁ, କିମ୍ବା ଜନତାଙ୍କ ଦ୍ଵାରା ଆଦୃତ ହୋଇନପାରନ୍ତି, ସେମାନେ କେବଳ ଅଭିଯୋଗ ଆଣନ୍ତି । ବିଜେଡି ନେତୃତ୍ବାଧୀନ ରାଜ୍ୟ ସରକାର ଜନତାଙ୍କ କାର୍ଯ୍ୟ କରୁଛନ୍ତି । ତେଣୁ ଆମେ ଜନତାଙ୍କ ଆସ୍ଥାଭାଜନ ହୋଇପାରୁଛୁ । ନିର୍ବାଚନ, ଉପନିର୍ବାଚନ, ପୌର ହେଉ କି ପଞ୍ଚାୟତ ନିର୍ବାଚନରେ ଜନତା ବିଜେଡି ଉପରେ ଭରସା କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ୱର