ଖୋର୍ଦ୍ଧା: ବନ୍ଧାହେଲେ ଭୂତଙ୍କ ସଭାପତି । ନିଜକୁ ୪୦ ଲକ୍ଷ ଭୂତଙ୍କ ସଭାପତି କହି କିଛି ଦିନ ତଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ବିପିନ ରାଉତରାୟ ଗିରଫ ହୋଇଛନ୍ତି । ଗତକାଲି(ବୁଧବାର) ଖୋର୍ଦ୍ଧା ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଗିରଫ ବିପିନଙ୍କ ଘର ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମରେ । ତାଙ୍କ ନାମରେ ୩ଟି ୱାରେଣ୍ଟ ଥିଲା । ସେ ବଗଳାମୁଖୀ ସାଧନା କରୁଥିବା କହି କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ । ଭୂତ ନାଁରେ ଆଈ ମାଆ କାହାଣୀ ଶୁଣାଇ ନିଜକୁ ଭୂତଙ୍କ ସଭାପତି କହୁଥିଲେ । ଏପରିକି ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପ୍ରେତାତ୍ମା ସହ ସେ କଥା ହୋଇଥିବା ମଧ୍ୟ କହିଥିଲେ ।
ପୋଲିସ ସୂଚନା ଅନୁସାରେ, ବିପିନଙ୍କ ନାମରେ ଜିଆର 51 / 2013, ଜିଆର 609 / 2016 ଭଳି 3ଟି ୱାରେଣ୍ଟ୍ ରହିଥିଲା । ସେ ପୋଲିସକୁ ଚକମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବା ସଦର ପୋଲିସ ପାଇଁ ବଡ଼ ସଫଳତା ହୋଇଛି । ବିପିନ ବୁଧବାର ନନ୍ଦପୁର ଆସିଥିବାବେଳେ ପୋଲିସ ତାଙ୍କୁ ସେଠାରୁ ଗିରଫ କରିଛି । ଏନେଇ ଥାନା ଅଧିକାରୀ ବିଦିତା ନାୟକ ସୂଚନା ଦେଇଛନ୍ତି ।
ପ୍ରକାଶଥାଉ କି, ବଗଳାମୁଖୀ ସାଧନା କରୁଥିବା ସାଧକ କହି ସୋସିଆଲ ମିଡିଆରେ କିଛିଦିନ ହେବ ଭୂତଗପ ଶୁଣାଇ ଚର୍ଚ୍ଚାରେ ରହିଥିଲେ ବିପିନ । ଏମିତିକି ଭୂତ ନାଁରେ ଆଈ ମା' କାହାଣୀ କହି ନିଜକୁ ଭୂତମାନଙ୍କ ସଭାପତି କହୁଥିଲେ । ସେହିପରି ମଶାଣୀ ଭିତରେ 15 ମିନିଟ ମନ୍ତ୍ର ପଢ଼ିବା ପରେ 40ଲକ୍ଷ ଭୂତ ଆସିଯାଆନ୍ତି ବୋଲି କହିଥିଲେ । କେବଳ ସେତିକି ନୁହେଁ, ସ୍ବର୍ଗତ ନବ ଦାସଙ୍କ ପ୍ରେତାତ୍ମା ତାଙ୍କୁ ଦେଖାଦେଇ କଥା ହେବା ଘଟଣା କହି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ । ସେ ପୂର୍ବରୁ ଭୁବନେଶ୍ବରକୁ 45 ମିନିଟ୍ ପାଇଁ ଅନ୍ଧାର କରିଥିଲେ ବୋଲି ଦାବି କରିବା ସହ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରେତାତ୍ମା ଆସି ମୋତେ ସାହାଯ୍ୟ ମାଗିଥିବା କଥା କହିଥିଲେ ।
ଭୂତ ବାହାନାରେ ଜଣେ ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ଘଟଣାକୁ ସବୁରି ମହଲରେ ନିନ୍ଦା କରାଯାଉଥିବା ବେଳେ ଦୀର୍ଘଦିନ ଧରି ପୋଲିସକୁ ଚକମା ଦେଉଥିବା ଆତ୍ମଘୋଷିତ ଭୂତଙ୍କ ସଭାପତି ବିପିନଙ୍କୁ ତାଙ୍କ ଗ୍ରାମ ନନ୍ଦପୁରରୁ ଗିରଫ କରାଯାଇଛି । ତେବେ ସାମାଜିକ ଗଣମାଧ୍ୟମରେ ଭୂତଙ୍କ କଥା କହିବା ପାଇଁ ନୁଁହ ବରଂ ପୂର୍ବରୁ ବିପିନଙ୍କ ନାମରେ ଦୁଇଟି ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।
ଇଟିଭି ଭାରତ, ଖୋର୍ଦ୍ଧା