ଭୁବନେଶ୍ବର: ପୁଣି ଓଡି଼ଶା ଆସିପାରନ୍ତି ଅମିତ୍ ଶାହ । ଆସନ୍ତା ଫେବୃୟାରୀ ୨୩ ତାରିଖରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡି଼ଶା ଆସିପାରନ୍ତି । ଶାହ ଓଡିଶା ଆସି ଦୁଇଟି ଲୋକସଭା ନିର୍ବାଚନ ମଣ୍ଡଳୀ ଭଦ୍ରକ ଓ ଢେଙ୍କାନାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ବୁଥସ୍ତରୀୟ ବୈଠକ ଓ ସଭାକୁ ଉଦବୋଧନ ଦେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ସୂଚନା ମିଳିଛି ।
ଏହାପୂର୍ବର ଅମିତ ଶାହ ଗତବର୍ଷ ଅଗଷ୍ଟ ୭ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଭୁବନେଶ୍ବର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ କଟକ ଇନଡ଼ୋର୍ ଷ୍ଟାଡ଼ିୟମରେ ପ୍ରଜାତନ୍ତ୍ର ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମଧ୍ୟ ଯୋଗ ଦେଇଥିଲେ । ଏହାସହିତ ସେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଶାହ ଭୁବନେଶ୍ବର ସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଲିଙ୍ଗରାଜଙ୍କୁ ଦର୍ଶନ କରି ମନ୍ଦିରରେ ଜଳାଭିଷେକ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର