ଖୋର୍ଦ୍ଧା:ଅଧା ରହିଗଲା ସେନାବାହିନୀରେ ଭର୍ତ୍ତି ହେବା ସ୍ବପ୍ନ । ସନ୍ତରଣ ଅଭ୍ୟାସ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ପୋଖରୀ ବୁଡି ଯୁବକଙ୍କର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମରେ ।
ସୂଚନାଅନୁସାରେ, ସୋରଣ ଗ୍ରାମର ୧୮ ବର୍ଷ ବୟସ୍କ ଯୁବକ ଅଶ୍ବିନୀ ବେହେରା ସେନା ବାହିନୀରେ ଭର୍ତ୍ତି ହେବା ପାଇଁ ଇଚ୍ଛା ରଖିଥିଲେ । ଏନେଇ ସେ ଅନେକ ଦିନ ହେବ ନିଜ ବନ୍ଧୁମାନଙ୍କ ସହ ଦୌଡ ଅଭ୍ୟାସ ସହ ସନ୍ତରଣ ଅଭ୍ୟାସ ଜାରି ରଖିଥିଲେ । ସବୁ ଦିନ ଭଳି ସୋମବାର ଅଶ୍ବିନୀ ଦୌଡା ଦୌଡି ଅଭ୍ୟାସ କରି ସାରିବା ପରେ ନିଜର ସାଥୀ ମାନଙ୍କ ସହ ଗାଁର କୋଇଲିଖିଆ ପୋଖରୀରେ ପହଁରା ଅଭ୍ୟାସ କରିବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ଆଜି ତାଙ୍କର ଦିନଟି ଜୀବନର ଶେଷ ଦିନ ହେବ ବୋଲି ।
ପହଁରା ଅଭ୍ୟାସ କରିଵା ପାଇଁ ପୋଖରୀର ଅପର ପାର୍ଶ୍ବକୁ ଚାଲି ଯାଇଥିଲେ । ନିଜର ୨ ବନ୍ଧୁ ପୋଖରୀ କୂଳକୁ ପହଁରି ପହଁରି ପଳାଇ ଆସିବାକୁ ସକ୍ଷମ ହୋଇଥିଵା ବେଳେ ପାଣି ଅତ୍ୟଧିକ ଥଣ୍ଡା ଥିବା ଯୋଗୁଁ ଅଶ୍ବନୀ ଅଧା ବାଟରେ ପାଣିରେ ବୁଡି ଯାଇଥିଲେ । ଅଶ୍ବନୀକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାର ଖବର ପାଇ ଟାଙ୍ଗୀ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ