ଖୋର୍ଦ୍ଧା/ଭଞ୍ଜନଗର: ବିଭିନ୍ନ ମଦ ଭାଟି ଉପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର କୋଷରଡା, ନିପାଣିଆ ଏବଂ ଲୋଧଭୂଇଁ ଗ୍ରାମରେ ଏହି ଚଢାଉ କରାଯାଇଛି । ମୋଟ 16ଟି ଭାଟିରୁ ପାଖାପାଖି 8 ହଜାର ଲିଟର ଦେଶୀ ମଦ ପୋଚ ଜବତ କରାଯାଇ ନଷ୍ଟ କରି ଦିଆଯାଇଛି ।
ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଏହି ଚଢାଉ ହୋଇଛି । ତେବେ ଦେଶୀ ମଦ ବେପାରୀ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଏବଂ ବୁଗୁଡ଼ା ଅବକାରୀ କର୍ମଚାରୀ ଗାମୁଣ୍ଡି ଓ ତୁରୁମୁ ଅଞ୍ଚଳରେ ମିଳିତ ଚଢ଼ାଉ କରିଛନ୍ତି । ଚଢାଉବେଳେ ଘଟଣାସ୍ଥଳରୁ 176 ଲିଟର ଚୋରା ହାତ ରନ୍ଧା ମଦ, 754 ଲିଟର ଗୁଡ ମିଶ୍ରିତ ପୋଚ ଏବଂ ମଦ ଚାଲାଣରେ ବ୍ୟବହୃତ ସ୍କୁଟିକୁ ଜବତ କରାଯାଇଛି । ଘଟଣାରେ ଡ଼ି ତେଜେଶ୍ୱର ରାଓ ଓ ସୁଶାନ୍ତ ପରିଡା ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ