ଭୁବନେଶ୍ବର: ପିଡିଏସ କିରୋସିନ କଳାବଜାରିର ବଡ ଖୁଲାସା। ଏସଟିଏଫ କ୍ରାଇମବ୍ରାଞ୍ଚ ହାତରେ ୪୨ ହଜାର ଲିଟର କିରୋସିନ ଜବତ। କଳାବଜାରିର ସୁରାକ ଆଧାରରେ ଚଢାଉ ବେଳେ କଟକ ଚୌଦ୍ବାରରୁ ଜବତ ହୋଇଛି ବିପୁଳ ପରିମାଣର ପିଡିଏସ କିରୋସିନ। ଯାହାର କଳାବଜାରି କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ ଟିମ।
ଧରାପଡିଥିବା ସମସ୍ତ ଅଭିଯୁକ୍ତ ମାନେ ହେଲେ ରଞ୍ଜନ କୁମାର ବେହେରା, ନିହାର ବେଉରା, ମନୋରଞ୍ଜନ ବେହେରା, ବିଦ୍ଯାଧର ସାମଲ । ଏହି ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲାର। ସେମାନଙ୍କ ଠାରୁ କିରୋସିନ ବୋଝେଇ ୯ଟି ଟ୍ଯାଙ୍କର ସମେତ ଗୋଟିଏ ଟାଟା ମ୍ଯାଜିକ, ୩ଟି ଇଲେକ୍ଟ୍ରିକ ମୋଟର, ଗୋଟିଏ ହୋଣ୍ଡା ଜେନେରେଟର, ଗୋଟିଏ କାର ସମେତ ୪ଟି ଖାଲି ଡ୍ରମ ଓ ପାଇପ ଜବତ କରିଛି ଏସଟିଏଫ ଟିମ।
କୁହାଯାଉଛି କିରୋସିନ ଜବତ ଇତିହାସରେ ଏହା ପ୍ରଥମ ଏତେ ମାତ୍ରାରେ ପିଡିଏସ କିରୋସିନ ଚୋରା ଚୋଲାଣର ଖୁଲାସା କରିଛି ଏସଟିଏଫ ଟିମ। ଏହା ସହ ୨୯ ,୭୦୦ ଟଙ୍କା ମଧ୍ଯ ଜବତ କରାଯାଇଛି । ତେବେ ଜଣେ ଅଭିଯୁକ୍ତ ବୁଲୁ ବେହେରା ଖସିପଳାଇଥିବା ବେଳେ ୪ ଜଣଙ୍କୁ EC act 7(i) (ii)1955 ଓବଂ 120(B)ଆଇପିସି ଧାରାରେ କୋର୍ଟଚାଲାଣ କରାଯାଇଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ