କେନ୍ଦୁଝର: ଖରାଦିନ ଆସିଲେ ତୃଷ୍ଣା ମେଣ୍ଟାଏ ତରଭୁଜ । ତରଭୁଜ ଖାଇବା ପାଇଁ ଲାଗିଥାଏ ଦୋକାନ ଆଗରେ ଭିଡ଼ । ଖରାଦିନ ଆସିଲେ ବଜାରକୁ ଆସିଯାଏ ତରଭୁଜ ପସରା । ରାଜ୍ୟର ବିଭିନ୍ନ ସ୍ଥାନରେ ତରଭୁଜ ଚାଷ କରାଯାଇଥାଏ । ହେଲେ ସେସବୁ ମଧ୍ୟରେ ତେଲକୋଇର ତରଭୁଜ ନିଆରା । କାରଣ ଏହାର ମାଟି ଓ ଜଳବାୟୁ ଏହାକୁ ଅଧିକ ସ୍ୱାଦିଷ୍ଟ କିରଥାଏ । ଏଠାକାର ଚାଷୀମାନେ ବେପାରିଙ୍କ ସହାୟତାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ତଥା ରାଜ୍ୟ ବାହାର ଯଥା ପଶ୍ଚିମବଙ୍ଗ ଓ ବିହାରକୁ ଏହି ଫଳ ପଠାଇଥାନ୍ତି । କାରଣ ସେସବୁ ଅଞ୍ଚଳରେ ମଧ୍ୟ ତେଲକୋଇର ତରଭୁଜର ଚାହିଦା ବହୁ ଅଧିକ ।
ତେଲକୋଇ ବ୍ଲକର ଦୋବଲାପାଳ ଓ ଛାମୁଣ୍ଡା ଅଞ୍ଚଳରେ ଏହି ସ୍ୱାଦିଷ୍ଟ ଫଳକୁ ବହୁଳ ପରିମାଣରେ ଚାଷ କରାଯାଇଥାଏ । ଏଠାକାର ଚାଷୀଙ୍କ ତରଭୁଜ ଏକ ମୁଖ୍ୟ ଆୟକର ଫସଲ । ଏହି ତରଭୁଜ ଚାଷ ଏହି ଅଞ୍ଚଳ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପରିଚୟ ସୃଷ୍ଟି କରିଛି । କିନ୍ତୁ ଏତେ ପରିଶ୍ରମ ପରେ ମଧ୍ୟଏଠି ଚାଷୀ ନିରାଷ ବେପାରି ମାଲାମାଲ୍ । ତାସାଙ୍ଗକୁ ୨୦୦ ହେକ୍ଟରରୁ ଅଧିକା ଚାଷ ହୋଇଥିବା ଏହି ବ୍ଲକରେ ଚାଷୀକୁ ସରକାରୀ ପ୍ରୋତ୍ସାହନ ଶୂନ ।
ଏ ସବୁ ଭିତରେ ଜଙ୍ଗଲି ପଶୁଙ୍କ ଦାଉରୁ ଚାଷକୁ ରକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡିଥିବାବେଳେ ଅନେକ ସମୟରେ କାଳବୈଶାଖି ମଧ୍ୟ ଦାଉ ସାଜିଥାଏ । କିନ୍ତୁ ଶୀତଳଭଣ୍ଡାର ଅଭାବ ଏହି ତରଭୁଜ ଚାଷୀଙ୍କ ମନରେ ବହୁ ନିରାଶା ଆଣି ଦେଇଛି ।
ତେଲକୋଇରେ ତରଭୁଜ ଶୀତଳ ଭଣ୍ଡାର ଟିଏ ହେଲେ ଚାଷୀ କିଛି ଅଧିକ ଲାଭ କରିପାରନ୍ତେ । ଏନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ପଚାରିବାରୁ ତେଲକୋଇ ତରଭୁଜ ଚାଷୀଙ୍କ କଥା ଜାଣିଥିବା ପ୍ରକାଶ କରିଛନ୍ତି । ଶୀତଳ ଭଣ୍ଡାର ନଥିବାବେଳେ ଆଗାମୀ ଦିନରେ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ନୂତନ ଶୀତଳ ଭଣ୍ଡାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର , ଇଟିଭି ଭାରତ