କେନ୍ଦୁଝର: ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି ସରକାର । ନିର୍ଭୟରେ ଏବଂ ଆନନ୍ଦରେ ଶିକ୍ଷା ଅଧ୍ୟୟନ କରିବେ ଛାତ୍ରଛାତ୍ରୀ । କିନ୍ତୁ ଏଠାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏଠି ନିର୍ଦ୍ଦୟ । ସାମାନ୍ୟ ଉତ୍ତର ଦେଇ ନପାରିବାରୁ ଛାତ୍ରର ହାତ ଭାଙ୍ଗି ଦେଇଛନ୍ତି ଶିକ୍ଷକ । ବକ୍ସିବାରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଅଭାବନୀୟ ଘଟଣା ।
ଗତ ଶୁକ୍ରବାର ଗଣିତ ଶିକ୍ଷକ ସିପୁ ବେହେରା ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ର ସଞ୍ଜୀବ ବାରିକକୁ ପ୍ରଶ୍ନ ପଚାରି ଥିଲେ । କିନ୍ତୁ ଉତ୍ତର ଦେଇପାରିନଥିଲେ ଛାତ୍ର । ରାଗରେ ଶିକ୍ଷକ ସଞ୍ଜୀବକୁ କଚାଡ଼ି ଦେଇଥିଲେ । ଫଳରେ ଛାତ୍ରର ହାତ ଭାଙ୍ଗିଯାଇଥିଲା । ପିଲାଟି ଯନ୍ତ୍ରଣା ଅନୁଭବ କରିବାରୁ ଶିକ୍ଷକ ସିପୁ ବେହେରା ଛାତ୍ରକୁ ଘରେ ଛାଡ଼ି ଚାଲି ଆସିଥିଲେ । ପରେ ଘରଲୋକ ନିକଟସ୍ଥ ଡ଼ାକ୍ତରଖାନା ଭର୍ତ୍ତି କରିଥିଲେ ।
ଘଟଣା ବିଷୟରେ ଜଣାପଡ଼ିବା ପରେ ଉକ୍ତ ଶିକ୍ଷକଙ୍କୁ ଯୋଗାଯୋଗ କରାଯିବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ବିଦ୍ୟାଳୟ ବନ୍ଦ ଥିବାରୁ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । । ଏପଟେ ଗ୍ରାମରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଆହତ ଛାତ୍ରଙ୍କ ଖବର ସଂଗ୍ରହ କରୁଥିବାବେଳେ ଶିକ୍ଷକଙ୍କ ସମ୍ପର୍କୀୟ ଧମକ ଦେଇଛନ୍ତି । ଏହା ସହ ଆମ ପ୍ରତିନିଧିଙ୍କ କ୍ୟାମେରାକୁ ମଧ୍ୟ ଭାଙ୍ଗିଦେବାକୁ ପ୍ରୟାସ କରିଛନ୍ତି । ଏହି ଘଟଣା ସମ୍ବନ୍ଧରେ ଡ଼ିସିପିଙ୍କ ନିକଟରେ କୌଣସି ସୂଚନା ନଥିବାବେଳେ, ତଦନ୍ତ କରି ଶିକ୍ଷକଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ