କେନ୍ଦୁଝର: ଜିଲ୍ଲାରେ ଆରମ୍ଭ ହେଲା ମାଣ୍ଡିଆ ସଫା କେନ୍ଦ୍ର । ମାଣ୍ଡିଆ ଚାଷକୁ କିପରି ବ୍ୟବସ୍ଥିତ କରି ବିକ୍ରି କରାଯିବ, ସେ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଏକ ମାଣ୍ଡିଆ ସଫା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ପ୍ରଥମ କରି ଜିଲ୍ଲାରେ ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଛି ।
ଦିନକୁ ଦିନ ମାଣ୍ଡିଆର ଚାହିଦା ବଢ଼ିବାରେ ଲାଗିଛି । ଏହା ପୃଷ୍ଟିଯୁକ୍ତ ଥିବାରୁ ସରକାର ମଧ୍ୟ ଏହାର ଚାଷ ଉପରେ ପ୍ରାଧାନ୍ୟ ଦେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ଏହାକୁ ଏକ ମିଶନ ଭାବେ ନେଇ ସଫଳ ହୋଇଛି । ମାଣ୍ଡିଆ ମିଶନ ମାଧ୍ୟମରେ ଚାଷୀଙ୍କ ଠାରୁ ଅମଳ ମାଣ୍ଡିଆକୁ ସଂଗ୍ରହ କରୁଛି ପ୍ରଶାସନ । ଏହାକୁ କିପରି ବ୍ୟବସ୍ଥିତ କରି ବିକ୍ରି ବୃଦ୍ଧି କରିହେବ, ସେନେଇ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ଡିଏମଏଫ ପାଣ୍ଠି ସହାୟତା କେନ୍ଦୁଝର ସହର ନିକଟସ୍ଥ ଜାମୁହତା କୃଷ୍ନା ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ସଫା କେନ୍ଦ୍ର ରୂପେ ପ୍ରତିଷ୍ଠା କରାଯାଇଛି ।
ଜିଲ୍ଲାରେ ପ୍ରଥମ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯାଇଥିବାବେଳେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଏହି କେନ୍ଦ୍ରରେ ଚାଷୀଙ୍କ ଠାରୁ ସଂଗୃହିତ ମାଣ୍ଡିଆକୁ ସଫା କରାଯାଇ ଜିଲ୍ଲାର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ରକୁ ପଠାଯିବ । ଏହି କେନ୍ଦ୍ରର କ୍ଷମତା ଶହେ କ୍ୱିଣ୍ଟାଲ ରହିବ ବୋଲି ଜଣାପଡିଛି । ଏହି କେନ୍ଦ୍ର ମାଣ୍ଡିଆ ସଫା ସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରିବ । ଏଥିସହ ଆଗାମୀ ଦିନରେ ମାଣ୍ଡିଆରୁ ପ୍ରସ୍ତୁତ ଲଡୁ, ଜିଲାପି ଆଦି ଖାଦ୍ୟ ସାମଗ୍ରୀର ବିକ୍ରି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ କାଫେ ଖୋଲାଯିବାର କାର୍ଯ୍ୟକ୍ରମ ଥିବା ଜିଲ୍ଲାପାଳ କହିଛନ୍ତି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ