କେନ୍ଦୁଝର: ଗୁଣି ଗାରେଡି ସନ୍ଦେହରେ ଗଡିଲା ମୁଣ୍ଡ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ କଡମଡିହି ଗ୍ରାମରେ ଘଟିଛି ଅଘଟଣ । ଗୁଣି ଗାରେଡି ସନ୍ଦେହରେ ହତ୍ୟା ପରେ ପୋତି ଦିଆ ଯାଇଥିବା ଅଭିଯୋଗ ହୋଇଛି ।
ସୂଚନାଅନୁଯାୟୀ କଡ଼ମଡ଼ିହି ଗ୍ରାମର ଛବି ମୁଣ୍ଡାଙ୍କ ସ୍ତ୍ରୀ ପୂର୍ବରୁ ପ୍ରାଣ ହରାଇଥିଲା । ଛବି ମୁଣ୍ଡା ଗତ ୫ ତାରିଖ ଦିନ ଛୁଆକୁ ଧରି ନିଜ ଘର ଅଗଣାରେ ଖେଳାଉ ଥିଲା । ଏହି ସମୟରେ ଉକ୍ତ ଗ୍ରାମର ନିରାଶ ମୁଣ୍ଡା ଛବିକୁ ତାର ସ୍ତ୍ରୀ ବିଷୟରେ ପଚାରିଥିଲା । ନିରାଶ ଗୁଣି କରି ତାର ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ ଛବି ପୂର୍ବରୁ କରୁଥିଲା । ଏହି ସନ୍ଦେହରେ ଛବି ନିରାଶକୁ ସେହିଦିନ ସନ୍ଧ୍ୟାରେ ହତ୍ୟାକରି ନିକଟସ୍ଥ କାନ୍ଦରା ନାଳ ନିକଟରେ ପୋତି ଦେଇଥିଲା । ପରେ ନିରାଶଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବା କାରଣରୁ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ ।
ଆଜି ସମସ୍ତ ତଥ୍ୟ ପୋଲିସ ପାଇବା ପରେ ବାଂଶପାଳ ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ମୃତଦେହ ଉଦ୍ଧାର କରାଯାଇଥିଲା । ଉକ୍ତ ମୃତଦେହକୁ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ପୋଲିସ । ହତ୍ୟାକାରୀ ଛବିକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ