କେନ୍ଦୁଝର: ଗତ କିଛିଦିନ ଧରି ନିଖୋଜ ଥିବା ଜଣେ ଶିଶୁର ଗଳିତ ପାଦ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍ ନିକଟ ବସ୍ତି ପାଖରେ ରବିବାର ଜଣେ ଶିଶୁର ଗଳିତ ପାଦ ପଡ଼ିଥିବା ଦେଖିବାକୁ ମିଳିଛି । କୁକୁର ଏହି ପାଦକୁ ଆଣି ସେଠାରେ ପକାଇ ଥିବା ବସ୍ତିର କିଛି ଛୋଟପିଲା ପ୍ରଥମେ ଦେଖିଥିଲେ । ଏନେଇ ଯୋଡ଼ା ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।
ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି । ତେବେ ମିଳିଥିବା ଏହି ପାଦ, ବସ୍ତିର ବାପଛେଉଣ୍ଡ ସାଢ଼େ ୩ ବର୍ଷର ଶିଶୁପୁତ୍ର ରୋହିତ ଓରାମର ବୋଲି ମାଆ ଶଶୀ ଓରାମ ଦାବି କରିଛନ୍ତି । ରୋହିତକୁ ଅପହରଣ କରି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ମା' ଶଶୀ ଓରାମ ।
ଶଶୀଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କ ମୃତ୍ୟୁ ପରେ ହୋଟେଲରେ କାମ କରି ନିଜର ୨ ଝିଅ ଓ ସାନପୁଅ ରୋହିତର ଲାଳନ ପାଳନ କରିଆସୁଥିଲେ । ଗତ ୪ ସପ୍ତାହ ତଳେ ଛୁଆଙ୍କୁ ଖାଇବାକୁ ଦେଇ ସେ କାମକୁ ଚାଲିଯାଇଥିଲେ । ତେବେ କାମରୁ ଫେରିବା ବେଳକୁ ପୁଅ ରୋହିତ ନିଖୋଜ ହୋଇଯାଇଥିଲା । ସଂପର୍କୀୟଙ୍କ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ରୋହିତର କୌଣସି ପତ୍ତା ମିଳିପାରି ନଥିଲା ।
ଏନେଇ ତାଙ୍କର ଜଣେ ସଂପର୍କୀୟ କକା ଯୋଡ଼ା ଥାନାରେ ଜଣାଇଥିଲେ। ତେବେ ରବିବାର ମିଳିଥିବା ଏହି ଗଳିତ ପାଦଟି ତାଙ୍କ ନିଖୋଜ ଥିବା ସାଢ଼େ ୩ ବର୍ଷ ପୁଅ ରୋହିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ରୋହିତକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ଜଣେ ସଂପର୍କିୟ ଦିଅରଙ୍କ ହାତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ଶଶୀ । ପୋଲିସ ପକ୍ଷରୁ ସମସ୍ତ ଘଟଣାର ଛାନଭିନ କରାଯାଉଥିବା ବେଳେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ