କେନ୍ଦୁଝର: କାହିଁ କେଉଁ ଅମଳରୁ ଦୂରଦର୍ଶନ ଲୋକଙ୍କୁ ଖବର ଦେବାର ମାଧ୍ୟମ ଥିଲା । ଏବେ ଡିଜିଟାଇଲେଜସ ପାଇଁ ଦୂରଦର୍ଶନର ଚାହିଦା କମୁଛି । ଲୋକଙ୍କ ହାତମୁଠାରେ ସବୁ କିଛି ଅଛି ଆଗ ଭଳି ଦୂରଦର୍ଶନରେ ପ୍ରସାରିତ କାର୍ଯ୍ୟକ୍ରମ ଦେଖିବାକୁ ଟିଭି ଆଗରେ ଆଉ ଲୋକଙ୍କ ଭିଡ ଲାଗୁନାହିଁ । ସମୟର ଚକ୍ରରେ ଏହି ନିର୍ଭରଯୋଗ୍ୟ ମାଧ୍ୟମ ପଛକୁ ପଳେଇ ଆସିଛି । ଫଳ ସୂରୁପ ବର୍ତ୍ତମାନ ଅନେକ ଦୂରଦର୍ଶନ କେନ୍ଦ୍ର ବନ୍ଦ ହେବାକୁ ଯାଉଛି । ସେଥି ମଧ୍ୟରୁ କେନ୍ଦୁଝର ଜିଲ୍ଲାରେ ଥିବା ସର୍ବପୁରାତନ ଦୂରଦର୍ଶନ କେନ୍ଦ୍ର ଏବେ ବନ୍ଦ ହେବାକୁ ଯାଉଛି ।
ଆଦିବାସୀ ଅଧ୍ୟୁଷିତ ବହୁଳ କେନ୍ଦୁଝର ଜିଲ୍ଲାରେ ୧୯୮୮ରେ ପ୍ରତିଷ୍ଠା ହୋଇଥିଲା ଦୂରଦର୍ଶନ ରିଲେ ସେଣ୍ଟର । ରିଲେ ସେଣ୍ଟର ପାଇଁ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଲୋକମାନେ ଦୂରଦର୍ଶନର ମଜା ନେଇପାରୁଥିଲେ । କିନ୍ତୁ ସରକାରଙ୍କ ନୂତନ ଡିଜିଟାଇଲାଯେସନ ନୀତି ଯୋଗୁଁ ଏହି ଦୂରଦର୍ଶନ କେନ୍ଦ୍ର ବନ୍ଦ ହେବାକୁ ଯାଉଛି । ଫଳରେ ଜିଲ୍ଲାର ସଂସ୍କୃତି ଓ ଐତିହର ପରିଚୟ ପାଳିଟିଥିବା କେନ୍ଦ୍ରଟି ବନ୍ଦ ହେବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏହି କେନ୍ଦ୍ର ବନ୍ଦ ନକରିବା ସହ ସରକାର ଡିଟିଏଚ ପ୍ରମୋସନାଲ ସେଣ୍ଟର ପ୍ରତିଷ୍ଠା କରିବାକୁ ଦାବି ହୋଇଛି ।
ଏହା ସହ ଏହି ଦୂରଦର୍ଶନ କେନ୍ଦ୍ରରେ ଷ୍ଟୁଡିଓ ସିଷ୍ଟମ ଯୋଡି ପାରିଲେ କେନ୍ଦୁଝର ଜିଲ୍ଲାର ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚିବାରେ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । କେନ୍ଦୁଝର ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଆକାଶବାଣୀ କେନ୍ଦ୍ରରେ ଦୂରଦର୍ଶନ କେନ୍ଦ୍ର ବନ୍ଦ ହେବାକୁ ଯାଉଥିବା ବେଳେ ଆକାଶବାଣୀ କେନ୍ଦ୍ର ଚାଲୁ ରହିଛି । କିନ୍ତୁ ଏହି ଆକାଶବାଣୀ କେନ୍ଦ୍ର ୧୦ କିଲୋ ୱାଟ ଟ୍ରାନ୍ସମିଟର ପାଇଁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୨ କିଲୋ ୱାଟରେ ଚାଲୁଛି ।
ଗାଁ ରୁ ସହର ସବୁଠି ବୈଦ୍ୟୁତିକ ଗଣମାଧ୍ୟମ କହିଲେ ଦୂରଦର୍ଶନକୁ ହିଁ ଲୋକଙ୍କ ପାଇଁ ନିର୍ଭରଯୋଗ୍ୟ ମଧ୍ୟମ ହୋଇଥିଲା । ଏବେ ବେସରକାରୀ ବୈଦ୍ୟୁତିକ ଗଣମାଧ୍ୟମ ବହୁଳ ସଂଖ୍ୟାରେ ପ୍ରସାରିତ ହେଉଛି । ଏହି ଗଣମାଧ୍ୟମ ଗୁଡିକ ମଧ୍ୟ ଲୋକଙ୍କ ଦ୍ବାରା ବେଶ ଆଦୃତ ହେଉଛି । ଏହା ଫଳରେ ଏକଦା ଲୋକଙ୍କ ପାଇଁ ଏକମାତ୍ର ମନୋରଞ୍ଜନର ମାଧ୍ୟମ ଥିବା ଦୂରଦର୍ଶନ ଲୋକଙ୍କ ଦ୍ବାରା ଆଉ ଆଦୃତ ହେଇପାରୁନାହିଁ । ଏଥିପାଇଁ କେନ୍ଦ୍ର ସରକାର ଦୂରଦର୍ଶନର ରୂପରେଖ ବଦଳେଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏବେ ଦୂରଦର୍ଶନର ଡିଜିଟାଇଲେଜେସନ ପକ୍ରିୟା ଆରମ୍ଭ କରିଛନ୍ତି । ଡିଟିଏଚ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାର ପ୍ରଧାନ୍ୟ ଦେଇଛନ୍ତି । ଫଳରେ ପୁରାତନ ବହୁ ଦୂରଦର୍ଶନ କେନ୍ଦ୍ର ସରକାର ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ