କେନ୍ଦୁଝର: ଗୁରୁବାର ରାତ୍ରି ସମୟରେ ତେଲକୋଇ ଥାନା ଅନ୍ତର୍ଗତ ଵନ୍ଧନଝରୀ ଗ୍ରାମ ନିକଟସ୍ଥ ନୂଆମୁଣ୍ଡା ପୋଲ ତଳୁ ପୋଲିସ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ତେବେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡି ଯୁବକଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ଆକୁଳ ସାପ୍ତାହିକ ହାଟରୁ ସନ୍ଧ୍ୟାରେ ବନମାଳୀ ନାମକ ଜଣେ ଯୁବକ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ତେବେ ପୋଲ ପାଖରେ ଜଣେ ଯୁବକ ସାଇକେଲ ସହ ମୃତଦେହ ପଡିଥିବା ସେ ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କୁ ଖବର ଦେବା ପରେ ପୋଲ ନିକଟରେ ଗ୍ରାମବାସୀଙ୍କ ଭିଡ ଜମିଥିଲା ।
ମୃତକ ଜଣକ ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗ୍ରାମର ନିରଞ୍ଜନ ନାଏକଙ୍କ ପୁଅ ବନମାଳୀ ନାଏକ ବୋଲି ଜଣାପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡି ଯୁବକଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି । ଏହି ଘଟଣାରେ ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । ତେଲକୋଇ ପୋଲିସ ଥାନାରେ ଅପମୃତ୍ୟୁ ମାମଲା ୩୩/୨୦ ରୁଜ୍ଜୁ କରିଛି ବୋଲି ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ