କେନ୍ଦୁଝର: ଆଜିଠାରୁ ବଡ଼ବିଲ ପୌରାଞ୍ଚଳକୁ ୧ ସପ୍ତାହ ପାଇଁ ସଟଡାଉନ କରାଯାଇଛି । ଗତକାଲି(ରବିବାର) ବଡ଼ବିଲରେ ୧୧ ଜଣ ସ୍ଥାନୀୟ ବାସିନ୍ଦା କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ବଡ଼ବିଲ ପୌରାଞ୍ଚଳକୁ ୧ ସପ୍ତାହ ପାଇଁ ସଟଡାଉନ୍ ଘୋଷଣା କରିଛି । ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ ।
ଏହି ସମୟରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ବ୍ୟତୀତ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଛି । ଗତକାଲି(ରବିବାର) ରାତିରେ ବଡ଼ବିଲ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇ ଲୋକଙ୍କୁ ସଟଡାଉନ ନିୟମ ମାନିବାକୁ ଅପିଲ କରାଯାଇଥିଲା ।
ଆଜିଠାରୁ ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯାଇଛି ପ୍ରଶାସନ । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ତେବେ ସଟଡାଉନ ସମୟରେ ପେଟ୍ରୋଲ ପମ୍ପ ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର ଇତ୍ୟାଦି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।
ସେହିପରି ଫ୍ୟାକ୍ଟ୍ରି ଓ ଖଣି ଚାଲୁ ରହିବା ସହ ଅତିଆବଶ୍ୟକ ସାମଗ୍ରୀ ପରିବହନ ସଟଡାଉନ ସମୟରେ ହୋଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଜନସାଧାରଣ ସମସ୍ୟାକୁ ଦୃଷ୍ଟିରେ ରଖି ରାସନ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖକୁ ପହଁଞ୍ଚାଇବା ପାଇଁ ହୋମ ଡେଲିଭରୀର ବ୍ୟବସ୍ଥା କରାଯାଇଛି ।
ତେବେ ବଡ଼ବିଲ ଷ୍ଟେସନ ରୋଡରେ ଥିବା ଗୃହସ୍ଥି ରିଏଲ ବଜାରର ଡିପାର୍ଟମେଣ୍ଟାଲ୍ ଷ୍ଟୋର ସଟଡାଉନ୍ ସତ୍ତ୍ୱେ ଦୋକାନ ଖୋଲିଥିବାରୁ ପୌରପାଳିକା ପକ୍ଷରୁ ସିଲ୍ କରିଦିଆଯାଇଛି । ଏହି ସଟଡାଉନ ସମୟରେ ସମସ୍ତ ସହରର ଗଳିକନ୍ଦିରେ ସାନିଟାଇଜେସନ କାର୍ଯ୍ୟ ଜାରି ଥିବା ଜିଲ୍ଲା ପ୍ରଶାସନ ଟ୍ବିଟ ମାଧ୍ୟମରେ ଜଣାଇଛି ।
କେନ୍ଦୁଝରରୁ ସନ୍ତୋଶ କୁମାର ମହାପାତ୍ର, ଇଟିଭି ଭାରତ