କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ବର୍ତ୍ତିଲେ ମହିଳା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜେନ୍ଦ୍ର ନାରାୟଣପୁର ଗ୍ରାମରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି । ଛେଳି ଚରାଉଥିବାବେଳେ ମହିଳାଙ୍କୁ କୁମ୍ଭୀର ଝାମ୍ପି ନେଇଥିଲା । ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ନାରାୟଣପୁର ଗ୍ରାମର ଜଣେ ମହିଳା ପୂର୍ଣ୍ଣିମା ଦିଣ୍ଡା ଘରପାଖ ଭିତରକନିକା ଜାତୀୟ ଉଦ୍ୟାନର ଥାନପତି ଜୋର ନିକଟରେ ଛେଳି ଚରାଉଥିଲେ। ଛେଳିଟି ପାଣି ନିକଟକୁ ଚାଲିଯାଇଥିଲା ବେଳେ ମହିଳା ଜଣଙ୍କ ଛେଳିକୁ ଘଉଡାଇବା ପାଇଁ ପାଣି ନିକଟକୁ ଯାଇଥିଲେ।ଏହି ସମୟରେ ହଠାତ ଏକ କୁମ୍ଭୀର ତାଙ୍କ ଗୋଡକୁ ଝାମ୍ପ ମାରିଥିଲା । ମହିଳା ଜଣଙ୍କ ଛେଳି ଘଉଡାଇବା ପାଇଁ ଧରିଥିବା ବାଡିରେ କୁମ୍ଭୀରକୁ ବାଡେଇବା ସହ ଗୋଡକୁ ଛାଟିଦେଇ କୁମ୍ଭୀର କବଳରୁ ବର୍ତ୍ତିବା ପାଇଁ ସଂଘର୍ଷ କରିଥିଲେ । ତାଙ୍କ ପାଟିଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ମହିଳାଙ୍କ ଡାହାଣ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତ କିଛିଦିନ ମଧ୍ଯରେ କୁମ୍ଭୀର ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିବା ବେଳେ ବନବିଭାଗ ଏଥିପାଇଁ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।
ଇଟିଭି ଭାରତ, କେନ୍ଦ୍ରାପଡ଼ା