କେନ୍ଦ୍ରାପଡ଼ା: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । କୃଷି ଆଉ କୃଷକର ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ଜନ୍ମ ଉତ୍ସବ । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡା । ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦରରେ ରାକ୍ଷୀ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ମନ୍ଦିର ଦେବୋତ୍ତର ବିଭାଗ ପକ୍ଷରୁ ବିଭିନ୍ନ ଆୟୋଜନ କରାଯାଇଛି । ବଳଦେବଜୀଉଙ୍କ ଜନ୍ମଉତ୍ସବରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଭକ୍ତ ।
କେନ୍ଦ୍ରାପଡ଼ା ଜିଲ୍ଲା ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ଜନ୍ମୋତ୍ସବ ଅବସରରେ ମନ୍ଦିରକୁ ଫୁଲରେ ସଜାଯାଇଛି । ଉଷା ଉଇଁବା ଆଗରୁ ଆରମ୍ଭ ହୋଇଛି ନୀତିକାନ୍ତି । ଜୟ ମଙ୍ଗଳ ଆଳତୀ ପରେ ସକାଳ ଧୂପ ଏବଂ ଖେଚୁଡ଼ି ଧୂପ ପରେ ମହାପ୍ରଭୁଙ୍କ ସମେତ ଅନ୍ୟ ଦେବାଦେବୀଙ୍କୁ ମହାସ୍ନାନ କରାଯାଇଥିଲା । ସ୍ନାନ ପରେ ମହାପ୍ରଭୁଙ୍କୁ ମଝି ଦେଉଳରେ ପିଢ଼ା ପକାଯାଇ ନୂତନ ପାଟବସ୍ତ୍ର ପିନ୍ଧାଯାଇଥିଲା । ଜନ୍ମ ଅଭିଷେକ ନୀତି, ଗହ୍ମା ଅଭିଷେକ ରୀତିରେ ପୂଜା କରାଯାଇ ପୁଷ୍ପରେ ପ୍ରସ୍ତୁତ ଅଳଙ୍କାର ଲାଗି କରାଯାଇ ତୁଳସୀ ଅର୍ପଣ କରାଯାଇଥିଲା । ଏହାପରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପାଟ ରାକ୍ଷୀକୁ ମହାପ୍ରଭୁଙ୍କ ସମେତ ପ୍ରଭୁ ଜଗନ୍ନାଥଙ୍କୁ ପିନ୍ଧା ଯାଇଥାଏ । ଶ୍ରୀକ୍ଷେତ୍ରରୁ ଏହି ରାକ୍ଷୀ ଆସିବା ପରମ୍ପରା କାହିଁ କେତେ କାଳରୁ ପ୍ରଚଳିତ ହୋଇଥିବା ବେଳେ ସମାୟାନୁକ୍ରମେ ଏହା ବନ୍ଦ ରହିଥିଲା । ତେବେ ବଳଦେବଜୀଉ ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ଉଦ୍ୟମ ପରେ ଶ୍ରୀକ୍ଷେତ୍ରରୁ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବାୟତ ତିଗିରିଆରୁ ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ନେଇ ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ର ଆସିଛନ୍ତି ବୋଲି କହିଛନ୍ତି ପୂଜାପଣ୍ଡା ନିଯୋଗ ସଭାପତି ।
ଏହି ଅବସରରେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ସାନ ଭାଇ ଜଗନ୍ନାଥଙ୍କ ପାଖରୁ ବଡ଼ ଭାଇଙ୍କୁ ଦର୍ଶନ କରିବାକୁ ଆସିଥିଲୁ । ମହାପ୍ରଭୁଙ୍କ ଦର୍ଶନ କରି ଜଗତ ମଙ୍ଗଳ କାମନା କଲୁ । ରତ୍ନ ଭଣ୍ଡାର ଖୋଲିବା ନେଇ ମହାପ୍ରଭୁଙ୍କୁ ମନାସିଲୁ । ଯଦି ଜଗନ୍ନାଥ ସଂସ୍କୃତିର ଆଘାତ ହୁଏ, ତେବେ ଆଗାମୀ ଦିନରେ ଉଭୟ ଜଗନ୍ନାଥ ସେନା ଓ ବଳଦେବଜୀଉ ସେନାଙ୍କ ମିଳିତ ଲଢେଇ ହେବ ।"
ଏହା ମଧ୍ୟ ପଢ଼ନ୍ତୁ: ଆଜି ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ଉଭଣୀର ସ୍ନେହର ଡୋରି
ଓଡ଼ିଆ ପରମ୍ପରା ଅନୁଯାୟୀ, ଆଜିର ଦିନରେ ସମସ୍ତ ଲୋକେ ଘରେ ପାଳିଥିବା ଗାଈଗୋରୁଙ୍କୁ ସ୍ନାନ କରାଇବା ସହ ସେମାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଲୋକ ବିଶ୍ୱାସ ଅନୁଯାୟୀ, ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିବସରେ କୃଷିଜାତ ଯେକୌଣସି ଦ୍ରବ୍ୟ ଭୋଗଲାଗି କରାଇଲେ କୃଷିକାର୍ଯ୍ୟ ଭଲ ହୋଇଥାଏ । ସେହିପରି ନିଜର କୁଳଦେବତା ବଳଦେବଜୀଉଙ୍କ ଜନ୍ମ ଦିବସରେ ସେବାୟତ ପରିବାର ପକ୍ଷରୁ ଏକଲକ୍ଷ ଆଠ ଘୃତ ଯଜ୍ଞ କରାଯାଉଥିବା ବେଳେ ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନରେ ରାକ୍ଷୀ ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରାଯିବା କେନ୍ଦ୍ରାପଡ଼ାବାସୀ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି ।
କେନ୍ଦ୍ରାପଡ଼ା, ଇଟିଭି ଭାରତ