କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ଶକ୍ତି ବିଭାଗ ଅଧୀନରେ ବିଭିନ୍ନ କମ୍ପାନୀରୁ କାମ କରୁଥିବା ଆଉଟସୋରସିଂ କର୍ମଚାରୀଙ୍କ ଛଟେଇକୁ ପ୍ରତିବାଦ କରି ସରକାରଙ୍କୁ ଚେତାବନୀ। ଏନେଇ ବୁଧବାର ସ୍ଥାନୀୟ ଗରାପୁରସ୍ଥିତ ଏକ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେସୁ ର ଫ୍ରାଞ୍ଚାଇଜ କମ୍ପାନୀ ଏନଜେନର ସହ ପରିଚାଳକ ବିନୋଦ ଦାସ ଯୋଗଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର କୋଭିଡ ପରିସ୍ଥିତିରେ କୌଣସି କର୍ମଚାରୀଙ୍କ ଛଟେଇ ହେବନାହିଁ ବୋଲି ଘୋଷଣା କରିଥିଲେ, ହେଲେ ଏହାକୁ ଅଣଦେଖା କରାଯାଇ ଗତ 1 ତାରିଖରୁ ଏନଜେନର ସମସ୍ତ କର୍ମଚାରୀଙ୍କୁ ସେବା ନିବୃତ୍ତ କରାଇଥିବା ନେଇ ପ୍ରକାଶ ହୋଇଥିଲା ।
ଟାଟା କମ୍ପାନୀ ବିଦ୍ୟୁତ ବିତରଣ ପାଇଁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିବା ପରେ ସେସୁରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିଛି । ଦୀର୍ଘ 10 ବର୍ଷ ଧରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଜେନ, ଶ୍ୟାମପାୱାର, RUPL ଇତ୍ୟାଦି କମ୍ପାନୀର କର୍ମଚାରୀ ରାଜ୍ୟ ସରକାରଙ୍କ ପାଖରେ ଛିଡା ହୋଇ ଲୋକମାନଙ୍କର ଆସ୍ଥାଭାଜନ ହୋଇଥିବା ବେଳେ, ଟାଟା ଏମାନଙ୍କ ନିଯୁକ୍ତି କଥା ବିଚାରକୁ ନେଇନାହିଁ । ଯେଉଁଥିପାଇଁ ପ୍ରାୟ 10 ହଜାର କର୍ମଚାରୀ ଚାକିରୀ ହରାଇଥିବା ବେଳେ ଏହି କର୍ମଚାରୀଙ୍କ ଉପରେ ନିର୍ଭର କରୁଥିବା 50 ହଜାର ସଦସ୍ୟ ଆଗକୁ ଭୋକ ଉପାସରେ ରହିବା ବ୍ୟତୀତ ଆଉ କିଛି ଉପାୟ ନାହିଁ ।
ଏହାକୁ ବିରୋଧ କରି ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ ନିଜର ଦାବିକୁ ଉପସ୍ଥାପିତ କରିଛି OPEFA ବା ଓଡିଶା ପାୱାର ଡିଷ୍ଟ୍ରିବ୍ୟୁସନ ଫ୍ରାଞ୍ଚାଇଜ ଏମ୍ପ୍ଲଇଜ ଆସୋସିଏସନ। ଖୁବଶୀଘ୍ର କର୍ମଚାରୀଙ୍କ କଥାକୁ ବିଚାରକୁ ନେଇ ଏହାର ସମାଧାନ କରି କର୍ମଚାରୀ ମାନଙ୍କୁ ଥଇଥାନ କରାନଗଲେ ଭବିଷ୍ୟତରେ ଏହି କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସଂଘର କାର୍ଯ୍ୟକର୍ତ୍ତା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ