କେନ୍ଦ୍ରାପଡା: କର୍ମକ୍ଷେତ୍ରରେ ଜଣେ ମହିଳା କର୍ମଚାରୀଙ୍କୁ ବିଭିନ୍ନ ସମୟରେ ଅସଦାଚରଣ ପ୍ରଚେଷ୍ଟା, ଫୋନ ଯୋଗେ ସମ୍ପର୍କ ସ୍ଥାପନ ପାଇଁ ପରୋକ୍ଷ ନିବେଦନ, ସ୍କୁଟି ଲୋଭ ଦେଖାଇ ସମ୍ପର୍କ ସ୍ଥାପନ ପାଇଁ ପ୍ରଲୋଭିତ କରିବା ଇତ୍ୟାଦି ମାମଲାରେ ଛନ୍ଦି ହୋଇପଡିଥିଲେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁ । ତେବେ ସେ କେନ୍ଦ୍ରାପଡ଼ା ଉପ କାରାଗାରରରେ ବିଚାରଧୀନ ବନ୍ଦୀ ଭାବରେ ଥିବାବେଳେ ମଙ୍ଗଳବାର ପ୍ରମୋଦଙ୍କୁ ସଭାପତି ପଦବୀରୁ ବରଖାସ୍ତ କରିଛନ୍ତି ବରିଷ୍ଠ ଆଇଏଏସ ତଥା ରେଜିଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି ବିଭୂତି ଭୂଷଣ ପଟ୍ଟନାୟକ ।
ଚିଠି ନଂ 25590/26.11.2019ରେ ରେଜିଷ୍ଟ୍ରାର ବିଭୂତି ପଟ୍ଟନାୟକ ପୂର୍ବରୁ ଅର୍ଥାତ ଗତ ନଭେମ୍ବର 4 ତାରିଖ ଦିନ ପ୍ରମୋଦଙ୍କୁ "ସୋ କଜ" ନୋଟିସ ଜାରି କରିଥିଲେ । ଏନେଇ ଉକ୍ତ ଦିନ ପ୍ରମୋଦ ତାଙ୍କୁ ମଗାଯାଇଥିବା "ସୋ କଜ" ନୋଟିସ ଉପରେ ଉତ୍ତର ରଖିଥିବା ଏହି ଚିଠିରେ ଉଲ୍ଲେଖ ରହିଛି । ତେବେ ପ୍ରମୋଦଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ପ୍ରମାଣ ମିଳିନଥିଲେ ହେଁ ବୈଦ୍ୟୁତିକ ଓ ପ୍ରିଣ୍ଟ ଗଣମାଧ୍ୟମରେ ତାଙ୍କର ଏହି କ୍ରିୟାକଳାପର ପ୍ରଚାର ଓ ପ୍ରସାର ହୋଇଥିଲା । ଯାହାକୁ ନେଇ ସାଧାରଣ ଡିପୋଜିଟର ମାନେ ସୋସାଇଟି ଉପରୁ ଆଶା ଓ ଭରଷା ତୁଟାଇ ଦେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି ବିଭୂତି ପଟ୍ଟନାୟକ ।
ତେଣୁ 1962 କୋ ଅପରେଟିଭ ସୋସାଇଟି ଆକ୍ଟ 32(8) ଅନୁଯାୟୀ ପ୍ରମୋଦଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇ ଉପ ସଭାପତି ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କୁ ସୋସାଇଟି ନିର୍ବାଚନ ନହେବା ପର୍ଯ୍ୟନ୍ତ ଦାୟିତ୍ବ ସମ୍ଭାଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ, ପ୍ରମୋଦଙ୍କ କୋ ଅପରେଟିଭ ସୋସାଇଟି କେଳେଙ୍କାରୀକୁ ଗତ ଅକ୍ଟୋବର ମାସରେ ପଦାକୁ ଆସିଥିଲା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ