କେନ୍ଦ୍ରାପଡ଼ା: ସାମ୍ନାକୁ ଆସିଲା ଆଉ ଜଣେ ରସିକିଆ ସ୍ବାମୀଙ୍କ ପ୍ରେମ କାହାଣୀ । ଝିଅମାନଙ୍କୁ ପଟାଇ ମନ୍ଦିରରେ ବିବାହ କରି ବିଭିନ୍ନ ସ୍ଥାନରେ ରଖୁଥିବା ଜଣେ ନକଲି ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ଗ୍ରାମର ଗଣେଶ ଓରଫ ସଞ୍ଜୟ ସେଠୀଙ୍କ ପ୍ରଥମ ଓ ତୃତୀୟ ସ୍ତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି ।
ଗଣେଶ ଓରଫ ସଞ୍ଜୟ ସେଠୀ ୨୦ ବର୍ଷ ତଳେ ଏକ ଗଣ୍ଡଗୋଳ ଘଟଣାରେ ଘରଛାଡି ଚାଲି ଯାଇଥିଲେ । ରାଉରକେଲାକୁ ଆସି ପରିଚୟ ବଦଳାଇ ଚନ୍ଦନ ନାୟକ ବୋଲି ନିଜକୁ ପରିଚିତ କରିଥିଲେ । ସେଠାରେ କିଛି ରୋଜଗାର କରି ଚନ୍ଦନ ୧୭ ବର୍ଷ ତଳେ ସ୍ଥାନୀୟ ଶୁଦେଷ୍ଣା ସ୍ବାଇଁଙ୍କୁ ବିବାହ କରିଥିଲେ । ଶୁଦେଷ୍ଣା ଏବଂ ତାଙ୍କ ପରିବାର ଲୋକଙ୍କ ସହାୟତାରେ ଚନ୍ଦନ ଓରଫ ସଞ୍ଜୟ ସେଠାରେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିଲେ । ଏହି ସମୟରେ ସ୍ବାମୀ ବିଭିନ୍ନ ଝିଅଙ୍କ ସହ ସମ୍ପର୍କ ରଖିବା ଶୁଦେଷ୍ଣା ଜାଣିବାକୁ ପାଇଥିଲେ । ତେଣୁ ସେ ରାଉରକେଲା ଛାଡି ଭୁବନେଶ୍ୱରରେ ଆସି ନିଜେ ବ୍ଯବସାୟ କରି ୨ଟି ପିଲାମାନଙ୍କୁ ପାଠ ପଢାଉଛନ୍ତି। ସେହପରି ସଞ୍ଜୟ ମଧ୍ୟ ରାଉରକେଲାରୁ ଆସି ମାର୍ଶାଘାଇ କ୍ରସିଙ୍ଗ ଛକଠାରେ ଏକ ମାର୍ବଲ ଦୋକାନ କରିଥିଲେ ।
ମାର୍ଶାଘାଇ ଥାନା ପୁରୁଷୋତ୍ତମପୁର ଗ୍ରାମର ପ୍ରିୟଙ୍କା ସାମନ୍ତରାୟଙ୍କୁ ଭଲପାଇ ପ୍ରଥମେ ଗର୍ଭବତୀ କରାଇବା ପରେ ଏକ ମନ୍ଦିରରେ ବିବାହ କରିଥିଲେ। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏକ ୯ ମାସର ଶିଶୁକନ୍ୟା ଅଛି । ଏହାପୂର୍ବରୁ ସଞ୍ଜୟ 2 ଜଣଙ୍କୁ ବିବାହ କରିଥିବା ପ୍ରିୟଙ୍କା ଜାଣିବାକୁ ପାଇଲେ । ଏନେଇ ସ୍ବାମୀ ସଞ୍ଜୟଙ୍କୁ ପଚାରିବାରୁ ପ୍ରିୟଙ୍କାଙ୍କୁ ମାଡ଼ ମାରିଥିଲେ । ପ୍ରିୟଙ୍କା ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ପ୍ରଥମ ଏବଂ ତୃତୀୟ ସ୍ତ୍ରୀଙ୍କ ଅଭିଯୋଗ ପାଇବା ପରେ ମାର୍ଶାଘାଇ ପୋଲିସ ସଞ୍ଜୟକୁ ଗିରଫ କରି ତଦନ୍ତ ଜାରି ରଖିଛି । ସେହିପରି ପରି ୨ୟ ସ୍ତ୍ରୀ ମଧ୍ୟ ୩ ମାସର ଗର୍ଭବତୀ ଥିବା କହିଛନ୍ତି ପ୍ରଥମ ସ୍ତ୍ରୀ ସୁଦେଷ୍ଣା । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା