କେନ୍ଦ୍ରାପଡା: ଚାଷଜମିରେ ପାୱାର ଟିଲର ନ ଛାଡିବାରୁ ଚାଷୀଙ୍କୁ ମାଡ । ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ । ଭିଡିଓ ଭାଇରାଲ ପରେ ମାମଲା ରୁଜୁ କଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ପୁରୁଷୋତ୍ତମପୁର ଗ୍ରାମରେ ।
ଗ୍ରାମର ସନ୍ତୋଷ ବେହେରା ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । କିଛିଦିନ ତଳେ ଶିଶୁଆ ଗ୍ରାମର ଅଲେଖ ବେହେରା ଓ ସୁଧୀର ବେହେରା ଏକ ପାୱାର ଟିଲର ଧରି ଚାଷ କରିବାକୁ ଯିବାବେଳେ ସନ୍ତୋଷଙ୍କ ପୋଟଳ କିଆରୀ ଦେଇ ଯିବାକୁ ଚାହିଁଥିଲେ । ତେବେ ପୋଟଳ ନଷ୍ଟ ହେବା ଆଶଙ୍କା କରି ସନ୍ତୋଷ ଏହାକୁ ବାରଣ କରିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଅଲେଖ ଓ ସୁଧୀର ସେଠାରୁ ଫେରି ଆସିଥିଲେ । ଗତ ୧୨ ତାରିଖ ଦିନ ସନ୍ତୋଷ କୌଣସି କାମରେ ଶିଶୁଆ ଗ୍ରାମକୁ ଆସିଥିବାବେଳେ ସୁଧୀର ଓ ଅଲେଖ ମାଡି ବସି ଏକ ଲଙ୍ଗଳ ଦଉଡିରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ତେବେ ଘଟଣା ପରେ ସନ୍ତୋଷ ଚାନ୍ଦୋଳ ଫାଣ୍ଡିରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ତାଙ୍କୁ ଫେରାଇ ଦେବା ସହ ଧମକ ଚମକ ଦେଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ସେପଟେ ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଗତକାଲି(ଶନିବାର) ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ