କେନ୍ଦ୍ରାପଡା: ଦିନେ ପୋଲିସର ନିଦ ହଜାଉଥିବା ଗ୍ୟାଙ୍ଗଷ୍ଟାର ଆଜି ଚିର ନିଦ୍ରାରେ । ପୋଲିସ ଗୁଳିରେ ଟଳି ପଡିଛି ଅପରାଧ ଦୁନିଆର ସମ୍ରାଟ । ଚକମା ଦେଇ ଖସି ପଳାଇବାକୁ ବସିଥିବା ମୋଷ୍ଟୱାଣ୍ଟେଡ ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଣ୍ଟର କରିଛି ପୋଲିସ । ଯାହାକୁ ନେଇ ଏବେ ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା ।
ଆଜି (ଶନିବାର) ହାଇଦରକୁ ଚୌଦ୍ବାର ଜେଲରୁ ବାରିପଦାକୁ ନିଆଯାଉଥିଲା । ବାଲେଶ୍ବର ସିମୁଳିଆ ନିକଟରେ ପରିସ୍ରା ଯିବା ପାଇଁ କହିଥିଲା ହାଇଦର । ସେହି ସମୟରେ ହିଁ ସେ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସକୁ ଆକ୍ରମଣ କରିଥିଲା । ଫଳରେ ଏନକାଉଣ୍ଟର କରିଥିଲା ପୋଲିସ । ଆଉ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଆଖିବୁଜିବା ପରେ ଅଧାବଟାରେ ହିଁ ଶେଷ ହୋଇଯାଇଛି ଟପ୍ କ୍ରିମିନାଲର କ୍ରାଇମ ଷ୍ଟୋରୀ । ତେବେ କିଏ ଏହି ହାଇଦର ? କିପରି ସେଖ୍ ହାଇଦର ଅଲ୍ଲୀ ପାଲଟିଥିଲା ମୋଷ୍ଟୱାଣ୍ଟେଡ ହାଇଦର ? ଜାଣନ୍ତୁ...
କେନ୍ଦ୍ରାପଡା ଜିଲ୍ଲା ରଣପୁର ଅଞ୍ଚଳରେ ହାଇଦର ଅଲ୍ଲୀର ଘର । ପ୍ରଥମେ ରିକ୍ସା ଚଳାଇ ପେଟ ପୋଷୁଥିଲା । ପରେ ପରେ ଟ୍ରେକର ଓ ଟ୍ରକ ମଧ୍ୟ ଚଳାଇଥିଲା । ଏପରିକି ସେ ମୃତଦେହ ବାହକ ରୂପେ ମଧ୍ୟ କାର୍ଯ୍ୟ କରିଥିବା କହୁଯାଏ । ଏହାପରେ ୧୯୮୦ ମସିହାରେ ଅପରାଧ ଦୁନିଆରେ ଦମଦାର ଏଣ୍ଟ୍ରି ମାରିଥିଲା ହାଇଦର । ଅଶୀ ଦଶକର ଦ୍ବିତୀୟର୍ଦ୍ଧାରେ ଅପରାଧ ଦୁନିଆରେ ପାଦ ଥାପି ଥିବା ହାଇଦର ପରବର୍ତ୍ତୀ ଅବସ୍ଥାରେ ପାଲଟି ଯାଇଥିଲା ଟପ୍ ଗ୍ୟାଙ୍ଗଷ୍ଟାର । ରିକ୍ସା ଚାଳକରୁ ମୋଷ୍ଟୱାଣ୍ଟେଡ ଭାବେ ପୋଲିସର ନିଦ ହଜାଇ ଦେଇଥିଲା ସେ ।
କୁଖ୍ୟାତ ଅପରାଧୀ ରବିନ-ଟିଟୋ-ସୁଲେମାନ ମିଶି ଗ୍ୟାଙ୍ଗ ଗଢ଼ିଥିଲେ । କିନ୍ତୁ ଭାଗବଣ୍ଟା ଓ ଟେଣ୍ଡରକୁ ନେଇ ବାଦବିବାଦ କାରଣରୁ ରବିନ ଓ ଟିଟୋ ଭିତରେ ଗଣ୍ଡଗୋଳ ହୋଇଥିଲା । ଫଳରେ ଟିଟୋ ଏବଂ ସୁଲେମାନ ଅଲଗା ଗ୍ୟାଙ୍ଗ ଗଢିଥିଲେ । ୧୯୯୧ ରେ ହାଇଦର ମଧ୍ୟ ଏକ ଗ୍ୟାଙ୍ଗ ଗଢିଥିଲା । କିଛିବର୍ଷ ହାଇଦର ଟିଟୋ ଓ ସୁଲେମାନ ସହ ମିଶି କାମ କରୁଥିଲା । ପରେ ପରେ ରାଜ୍ୟର ଚର୍ଚ୍ଚିତ କ୍ରିମିନାଲ ଭାବେ ପରିଚୟ ହାସଲ କରିଥିଲା ଟିଟୋ, ସୁଲେମାନ ଓ ହାଇଦରର ମିଳିତ ଗ୍ୟାଙ୍ଗ । ତେବେ କୌଣସି ଏକ ଘଟଣାରେ ହାଇଦରକୁ ୧୯୯୭ ମସିହାରେ ଏନକାଉଣ୍ଟର କରିଥିଲା ପୋଲିସ । କିଛି ଦିନ ବିତିବା ପରେ ଟିଟୋ ଓ ହାଇଦର ସମ୍ପର୍କରେ ସୃଷ୍ଟି ଫାଟ ହୋଇଥିଲା ।
୨୦୦୫ ମସିହାରେ ହାଇଦର ଗ୍ୟାଙ୍ଗଷ୍ଟାର ସୁଲେମାନର ସାନ ଭାଇ ଚୁନାକୁ ଭୁବନେଶ୍ୱରରେ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା । ସେହିବର୍ଷ ନାଗପୁରରୁ ହାଇଦରକୁ ଗିରଫ କରିଥିଲା ପୋଲିସ । ଚୁନା ହତ୍ୟା ଘଟଣାରେ ତାକୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ହେଲେ ଜେଲରେ ଥାଇ ବି ବନ୍ଦ ହୋଇନଥିଲା ହାଇଦରର ଅପରାଧିକ କାର୍ଯ୍ୟକଳାପ । ଜେଲ ଭିତରେ ମଧ୍ୟ ସେ ସବୁ ପ୍ରକାର ଅପରାଧର ଗୋଟି ଚାଳନା କରୁଥିଲା ।
୨୦୦୭ ମସିହାର ଆଉ ଏକ ହତ୍ୟାକାଣ୍ଡ ହାଇଦରକୁ ଚର୍ଚ୍ଚିତ ଚେହେରା ସଜେଇ ଦେଇଥିଲା । ଭୁବନେଶ୍ବରସ୍ଥିତ ଝାରପଡା ଜେଲରେ ଥାଇ ମଧ୍ୟ ହାଇଦର ନିଜ ସହଯୋଗୀଙ୍କ ମାଧ୍ୟମରେ କେନ୍ଦୁଝରର ପ୍ରତିଷ୍ଠିତ ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନଙ୍କ ଓ ତାଙ୍କ ଡ୍ରାଇଭରକୁ ଅପହରଣ କରି ଟଙ୍କା ମାଗିଥିଲା ଏବଂ ପରେ ତାଙ୍କୁ ହତ୍ୟା କରିଥିଲା । ଏହି ମାମଲାରେ ହାଇଦର ସମେତ ତାର ଦୁଇ ସହଯୋଗୀଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜକୋର୍ଟ ୨୦୧୫ ମସିହାରେ ଆଜୀବନ ସଜ୍ଜା ଶୁଣାଇଥିଲେ । ୨୦୧୭ ମସିହାରେ ଧଳ ସାମନ୍ତ ଲିଙ୍କରେ ପୁଣି ଗିରଫ ହୋଇଥିଲା ହାଇଦର । ପରେ ଜେଲରେ ଆଇନଶୃଙ୍ଖଳା ଦୃଷ୍ଟିରୁ ୨୦୧୭ ମସିହାରେ ଭୁବନେଶ୍ବରରୁ ହାଇଦରକୁ ସମ୍ବଲପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଗ୍ୟାଙ୍ଗଷ୍ଟାର ବିରୋଧରେ କେନ୍ଦ୍ରାପଡା ଟାଉନ ଥାନାରେ ୭ଟି କେସ ଥିବାବେଳେ ଯାଜପୁର, ଭୁବନେଶ୍ୱର, କଟକ, ପୁରୀ ଓ ଅନ୍ୟ ଥାନାରେ ୧୬ରୁ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗୀନ ମାମଲା ରହିଛି । ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ଅପହରଣ ଭଳି ବହୁ ସଙ୍ଗୀନ ଅଭିଯୋଗ ରହିଛି ।
୨୦୦୫ରୁ ଜେଲରେ ଆଜୀବନ କାରାଦଣ୍ଡରେ ଥିବାବେଳେ ୨୦୧୪ ମସିହାରେ ପାରୋଲରେ ଆସିଥିଲା ହାଇଦର । ଗତ ଏପ୍ରିଲରେ ସ୍ବାସ୍ଥ୍ୟଗତ କାରଣରୁ କଟକ ଏସସିବିରେ ଭର୍ତ୍ତି ହୋଇଥିଲା ଅପରାଧୀ ହାଇଦର । ହେଲେ ତା' ସୁରକ୍ଷା ଦାୟିତ୍ବରେ ଥିବା କନେଷ୍ଟବଳ ମହମ୍ମଦ ମୌସମଙ୍କୁ ଖାଦ୍ୟରେ ନିଶା ଦେଇ ସେ ଫେରାର ହୋଇଯାଇଥିଲା । ଏହାପରେ ଏହି ମୋଷ୍ଟୱାଣ୍ଟେଡ ଗ୍ୟାଙ୍ଗଷ୍ଟାରକୁ ଧରିବାକୁ ଜୋରଦାର ଚାଲିଥିଲା ଅପରେସନ । ଫେରାରର ୫ ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା ଓଡିଶା ପୋଲିସର ସ୍ପେଶାଲ ଟିମ୍ । ପରେ ତାକୁ ଭୁବନେଶ୍ବର ଅଣାଯାଇଥିଲା ଏବଂ ଚୌଦ୍ବାର ଜେଲକୁ ପଠା ଯାଇଥିଲା । ଆଜି ପୁଣି ହାଇଦରକୁ ଚୌଦ୍ବାରରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ହେଲେ ପୂର୍ବ ଭଳି ପୋଲିସକୁ ଚକମା ଦେଇ ସେ ଖସିଯିବାକୁ ଉଦ୍ୟମ କରିଥିଲା ଏବଂ ଜବାବରେ ଗୁଳା ଚଳାଇଥିଲା ପୋଲିସ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ