କେନ୍ଦ୍ରାପଡ଼ା: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଭୋଟ ନ ଦେବାକୁ ନେଇ ବିରୋଧୀ କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ଭୋଟ ନ ଦେବାକୁ ନେଇ ବିରୋଧୀ ଲଗାତାର ପ୍ରତାପ ଦେବଙ୍କୁ ପ୍ରଶ୍ନବାଣ ମାରୁଛନ୍ତି । ଏହି କ୍ରମରେ ଆଜି ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲ୍ର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଦାବି କରିଛନ୍ତି ।
ଏହାକୁ ନେଇ ବିଧୁଭୂଷଣ ମହାପାତ୍ର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଜରିଆରେ ବାଚସ୍ପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ଗଣତନ୍ତ୍ରର ମହାନ ପର୍ବରେ ବିଧାୟକ ମତଦାନରୁ ବିରତ ରହିଲେ । ଏଥିପାଇଁ ତାଙ୍କ ନିକଟକୁ ବିଧାନସଭା ବାଚସ୍ପତି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଦାବି କରିଛନ୍ତି । ବିଧାୟକ ଭୋଟଦାନରୁ ବିରତ ରହି ସେଠାରେ ୱାର୍ଡମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ, ସମିତିସଭ୍ୟ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି ।
ଦଳ ନିଷ୍ପତ୍ତିରେ ବିଜେଡିର ଜୟରାମ ସାହୁଙ୍କୁ ଏଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରାଯାଇଛି । ତେବେ ଜୟରାମଙ୍କ ସପକ୍ଷରେ ଭୋଟ ଦେବାକୁ ନଆସିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅସମ୍ମାନ ବୋଲି କହିଛନ୍ତି ବିଧୁଭୂଷଣ ମହାପାତ୍ର । ରାଜତନ୍ତ୍ରରେ ବିଶ୍ୱାସ ରଖି ଭୋଟର ଓ ପ୍ରାର୍ଥୀଙ୍କୁ ନ୍ୟୁନ ମନେକରୁଥିବା ପ୍ରତାପ ଦେବ ଭୋଟର ମାନଙ୍କୁ ଶୀଘ୍ର କ୍ଷମା ମାଗିବା ସହ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଧୁଭୂଷଣ ମହାପାତ୍ର । ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନଆସିବା ଦଳୀୟ ଅନ୍ତଃକନ୍ଦଳ ଓ ରାଜ ପରିବାର ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା କଥା ସେ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ