କେନ୍ଦ୍ରାପଡ଼ା: ଜିଲ୍ଲାର ମାର୍ଶାଘାଇ ଥାନା ଜାତୀୟ ରାଜପଥ କ୍ରସିଂ ଛକ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ହୋଟେଲ ଉପରକୁ ବୋମାମାଡ ହୋଇଥିଲା । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ମଙ୍ଗଳବାର ଗିରଫ କରିଛି । ଏନେଇ ଏସପି ମଦକର ସନ୍ଦୀପ ସମ୍ପଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବୋମାମାଡ଼ ଘଟାଇଥିବା ଅପରାଧୀମାନେ ମାର୍ଶାଘାଇ ଥାନା ହିନ୍ଦୁଳିଆ ଗ୍ରାମର କୁନା ଓରଫ ସୁଶୀଲ କୁମାର ମଲ୍ଲିକ, ପାଟକୁରା ଥାନା ପୋତାରି ଗାଁର ମୁନା ଓରଫ ମନୋଜ ନାୟକ ଓ ଜଗା ଓରଫ ଜଗନ୍ନାଥ ଦାସ ବୋଲି ଜଣାପଡ଼ିଛି । ଏହି ଅପରାଧୀମାନେ ଏକ ନୀଳ ରଙ୍ଗର ଆପାଚି ଗାଡିରେ ଆସି ହୋଟେଲ ମାଲିକଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ୨ଟି ବୋମାମାଡ କରି ଫେରାର ହୋଇଯାଇଥିଲେ ।
ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୨୪ ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଆପାଚି ବାଇକ, ୯ ଟି ଅଫୁଟା ବୋମା, ବୋମା ତିଆରି ସାମଗ୍ରୀ ଏବଂ ଦୁଇଟି ମୋବାଇଲ ଫୋନ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ସୁଶୀଲ ନାମରେ ପୂର୍ଵରୁ ଅନେକ ମାମଲା ରହିଛି । ହୋଟେଲ ମାଲିକ ଅଭିଯୁକ୍ତଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ନେଇ ସେମାନେ ସନ୍ଦେହ କରି ଏଭଳି ଘଟଣା ଘଟାଇଥାଇପାରନ୍ତି ବୋଲି ଏସପି କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ