ଫୁଲବାଣୀ: ଅସୁରକ୍ଷିତ ଗଦରିଙ୍ଗିଆ ଘାଟି। ଦୁଇ ଯୁବକଙ୍କୁ ହତ୍ୟା ଅଭିଯୋଗରେ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ସ୍ଥାନୀୟ ଲୋକେ । ଘାଟି ନିକଟରେ ଦୁଇ ଜଣଙ୍କ ମୃତ ଦେହ ମିଳିବା ପରେ ଉତ୍ତେଜିତ ହୋଇ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟରେ ରାସ୍ତା ଅବରୋଧ କଲେ ଲୋକେ । ଦିନକୁ ଦିନ କନ୍ଧମାଳ ଜ଼ିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳରେ ପୋଲିସର ପେଟ୍ରୋଲିଙ୍ଗ ଅଭାବରୁ ଚୋରି ଡକାୟତ ପାଶବିକ ଅତ୍ୟାଚାର ଲୁଣ୍ଠନ ହତ୍ୟାକାଣ୍ଡ ଭଳି ଜଘନ୍ୟ ଅପରାଧ ବଢୁଛି l ଚୋରା ମଦ ଓ ଗଞ୍ଜେଇ ଚାଲାଣ ବୃଦ୍ଧିପାଇଛି। କିନ୍ତୁ ଏସବୁକୁ ରୋକିବାରେ ବିଫଳ ହୋଇଛି ପୋଲିସ l
ଶନିବାର ରାତିରେ ବାଲିଗୁଡାରୁ କାମସାରି ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ଡକାୟତ ମାନେ ଡକାୟତି କରି ଜୀବନରେ ମାରିଦେଇଥିବା ଅଭିଯୋଗ ହେଉଛି । ମୃତକ ହେଲେ ସଙ୍କଳ୍ପ ନାୟକ ଓ ତପନ ବେହେରା l ସ୍ଥାନୀୟ ଲୋକେ ମୃତକଙ୍କୁ ଚିହ୍ନଟ କରିବା ସହ ତୁମୁଡିବନ୍ଧରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ପୋଲିସର ସ୍ଥାଣୁତା ଓ ଘାଟିରେ ପେଟ୍ରୋଲିଙ୍ଗ, ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ହତ୍ୟାକାରୀଙ୍କୁ ଅତି ଶୀଘ୍ର ଗିରଫ ଦାବୀରେ ତୁମୁଡ଼ିବନ୍ଧରେ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତକରି ବ୍ୟବଛେଦ ପାଇଁ ତୁମୁଡିବନ୍ଧ ମେଡିକାଲକୁ ପଠାଇଛି । ଶେଷରେ ଘଟଣା ସ୍ଥଳରେ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।
କନ୍ଧମାଳରୁ ଶଦାସିବ ପାତ୍ର, ଇଟିଭି ଭାରତ